Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ୱାମୀଙ୍କୁ ନିଦ ବଟିକା ଦେଇ ହତ୍ୟା ଅଭିଯୋଗ; ଘରେ ରଚିଥିଲେ ଚୋରିର ନାଟକ, ସ୍ତ୍ରୀ ସମେତ ୨ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀର ସଙ୍ଗମ ବିହାର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ହତ୍ୟା ଘଟଣାର ତଦନ୍ତ କରି ତାଙ୍କ ସ୍ତ୍ରୀଙ୍କ ସମେତ ଦୁଇଜଣଙ୍କୁ ପୁଲିସ ଗିରଫ କରିଛି। ମୃତକଙ୍କ ପରିଚୟ ୫୫ ବର୍ଷୀୟ ମୁନ୍ନା ଲାଲ୍ ବୋଲି ଜଣାପଡ଼ିଛି। ପୁଲିସର ଦାବି ଅନୁସାରେ, ମୁନ୍ନା ଲାଲ୍‌ଙ୍କ ସ୍ତ୍ରୀ ମଞ୍ଜୁ ଓରଫ୍ ନାଜିଆ ହିଁ ହତ୍ୟାର ଷଡ଼ଯନ୍ତ୍ର ରଚିଥିଲେ। ଏହି ମାମଲାରେ ତାଙ୍କ ସହଯୋଗୀ ଚମନ୍‌କୁ ମଧ୍ୟ ଗିରଫ କରାଯାଇଛି। ଅଭିଯୁକ୍ତମାନଙ୍କୁ ଆଶ୍ରୟ ଦେଇଥିବା ଅଭିଯୋଗରେ କିଶନ ନାମକ ଜଣେ ଯୁବକଙ୍କୁ ମଧ୍ୟ ପୁଲିସ ପଚରାଉଚରା କରୁଛି।

ପୁଲିସ ସୂଚନା ଅନୁସାରେ, ଅଗଷ୍ଟ ୧୦ ତାରିଖ ସକାଳ ପ୍ରାୟ ୫ଟାରେ ରତିଆ ମାର୍ଗରେ ମୁନ୍ନା ଲାଲ୍ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ମିଳିଥିଲେ। ତାଙ୍କୁ ଏମ୍ସ ଟ୍ରମା ସେଣ୍ଟରକୁ ନିଆଯାଇଥିଲା, କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ। ତଦନ୍ତ ବେଳେ ଘର ଭିତରେ ରକ୍ତଦାଗ ଲିଭାଇବା ସହ ଚୋରି ହୋଇଥିବା ଭଳି ପରିସ୍ଥିତି ସୃଷ୍ଟି କରାଯାଇଥିବା ପୁଲିସ ଜାଣିବାକୁ ପାଇଥିଲା। ସିସିଟିଭି ଫୁଟେଜ୍ ଯାଞ୍ଚରୁ ରାତି ପ୍ରାୟ ୧ଟା ୪୫ରେ ଜଣେ ମୁଖାପିନ୍ଧା ବ୍ୟକ୍ତି ଘରେ ପ୍ରବେଶ କରିଥିବା ଏବଂ ପ୍ରାୟ ୩ଟା ୧୫ରେ ବାହାରକୁ ଯାଇଥିବା ଦେଖାଯାଇଥିଲା।

ପୁଲିସର ଦାବି ଅନୁସାରେ, ପାରିବାରିକ ବିବାଦ, ଆର୍ଥିକ ସମସ୍ୟା ଏବଂ ମାରପିଟ୍‌କୁ ନେଇ ଏହି ହତ୍ୟା ଯୋଜନା କରାଯାଇଥିଲା। ଅଭିଯୋଗ ରହିଛି ଯେ ପ୍ରଥମେ ମୁନ୍ନା ଲାଲ୍‌ଙ୍କୁ ନିଦ ବଟିକା ଦିଆଯାଇଥିଲା। ପରେ ତାଙ୍କୁ ଗଳା ଚିପିବା ସହ ବିଦ୍ୟୁତ୍‌ ଝଟକା ଦିଆଯାଇଥିଲା ଏବଂ କାଠ ବାଡ଼ିରେ ମଧ୍ୟ ଆକ୍ରମଣ କରାଯାଇଥିବା ପୁଲିସ କହିଛି। ଚମନ୍ ୫ ଲକ୍ଷ ଟଙ୍କା ବଦଳରେ ଏହି ଅପରାଧରେ ସାମିଲ ହୋଇଥିବା ଏବଂ ଘଟଣାସ୍ଥଳରେ ତାଙ୍କୁ ୨୦ ହଜାର ଟଙ୍କା ଦିଆଯାଇଥିବା ପୁଲିସ ଦାବି କରିଛି। ଘଟଣାରେ ୧୫ ହଜାର ଟଙ୍କା ନଗଦ ଜବତ ହୋଇଥିବା ବେଳେ ମାମଲାର ଅଧିକ ତଦନ୍ତ ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories