Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମେରିକାରେ ଭୟଙ୍କର ଘଟଣା: ମା’ ଓ ଭାଇଙ୍କୁ ହତ୍ୟା ଅଭିଯୋଗରେ ଭାରତୀୟ ବଂଶୋଦ୍ଭବ ୧୭ ବର୍ଷୀୟ ନାବାଳକ ଗିରଫ

ନୂଆଦିଲ୍ଲୀ: ଆମେରିକାର ମାସାଚୁସେଟ୍ସର ଆକ୍ଟନ୍‌ ଅଞ୍ଚଳରେ ଏକ ପରିବାରରେ ଘଟିଛି ଚାଞ୍ଚଲ୍ୟକର ଘଟଣା। ଭାରତୀୟ ବଂଶୋଦ୍ଭବ ୧୭ ବର୍ଷୀୟ ଅର୍ଜୁନ ଅରବିନ୍ଦ ନିଜ ମା’ ଓ ସାନ ଭାଇଙ୍କୁ ହତ୍ୟା କରିଥିବା ଅଭିଯୋଗରେ ପୁଲିସ ଗିରଫ କରିଛି। ମୃତକ ହେଉଛନ୍ତି ୪୫ ବର୍ଷୀୟ ସୁଧା ଭେଙ୍କଟେସନ ଏବଂ ତାଙ୍କ ୧୪ ବର୍ଷୀୟ ପୁଅ ସିଦ୍ଧାର୍ଥ ଅରବିନ୍ଦ। ଅର୍ଜୁନଙ୍କ ବିରୋଧରେ ଦୁଇଟି ହତ୍ୟା ମାମଲା ସହ ଆକ୍ରମଣ ଏବଂ ଅନୁମତି ବିନା ଗାଡ଼ି ନେଇଯିବା ଭଳି ଅଭିଯୋଗ ଲଗାଯାଇଛି।

ଘଟଣାଟି ମଙ୍ଗଳବାର ଆକ୍ଟନ୍‌ସ୍ଥିତ ପରିବାରର ଘରେ ଘଟିଥିବା ପୁଲିସ କହିଛି। ସନ୍ଧ୍ୟା ପ୍ରାୟ ୬ଟା ୩୦ରେ ଜଣେ ଟ୍ୟୁଟର ପାଠ ପଢ଼ାଇବା ପାଇଁ ଘରକୁ ଆସିଥିଲେ। କିନ୍ତୁ ଘର ଭିତରକୁ ପ୍ରବେଶ କରିନପାରିବାରୁ ସେ ଅର୍ଜୁନଙ୍କ ବାପାଙ୍କୁ ଜଣାଇଥିଲେ। ପରେ ପୁଲିସ ଘରକୁ ଯାଇ ଯାଞ୍ଚ କରିବା ପରେ ମା’ ଓ ପୁଅଙ୍କ ମୃତଦେହ ଉଦ୍ଧାର କରିଥିଲା। ଉଭୟଙ୍କ ଶରୀରରେ ଆକ୍ରମଣର ଚିହ୍ନ ଥିବା ବେଳେ ମୃତ୍ୟୁର ପ୍ରକୃତ କାରଣ ଏବଂ ବ୍ୟବହୃତ ଅସ୍ତ୍ର ସମ୍ପର୍କରେ ତଦନ୍ତ ଜାରି ରହିଛି।

ଘଟଣା ପରେ ଅର୍ଜୁନ ତାଙ୍କ ମା’ଙ୍କ ହୋଣ୍ଡା ଆକର୍ଡ କାର୍‌ ନେଇ ଫେରାର ହୋଇଯାଇଥିବା ପୁଲିସ କହିଛି। ତାଙ୍କୁ ଖୋଜିବା ପାଇଁ ରାତିସାରା ତଲାସୀ ଚାଲିଥିଲା। ବୁଧବାର ସକାଳେ ଓ୍ୱେଲାଣ୍ଡ ଅଞ୍ଚଳର ଏକ ପାର୍କିଂ ସ୍ଥାନରୁ କାର୍‌ ସହ ଅର୍ଜୁନଙ୍କୁ ଧରାଯାଇଥିଲା। ତଦନ୍ତରେ ଅର୍ଜୁନ ଇଣ୍ଟରନେଟ୍‌ ଏବଂ ChatGPTରେ ପରିବାରକୁ ହତ୍ୟା କରିବା ସମ୍ପର୍କିତ କଳ୍ପନା ଓ ଧାରଣା ଖୋଜୁଥିବା ତଥ୍ୟ ସାମ୍ନାକୁ ଆସିଥିବା ଅଧିକାରୀମାନେ କହିଛନ୍ତି। ତେବେ ଏହି ସର୍ଚ୍ଚ ଓ ହତ୍ୟା ଘଟଣା ମଧ୍ୟରେ ସିଧାସଳଖ ସମ୍ପର୍କ ନେଇ ତଦନ୍ତ ଜାରି ରହିଛି। ଅର୍ଜୁନଙ୍କୁ ପ୍ରଥମେ ଜୁଭେନାଇଲ୍ କୋର୍ଟରେ ହାଜର କରାଯିବାକୁ ଥିବା ବେଳେ ହତ୍ୟା ମାମଲାର ଶୁଣାଣି ପାଇଁ ତାଙ୍କୁ ପରେ ଡିଷ୍ଟ୍ରିକ୍ଟ କୋର୍ଟରେ ହାଜର କରାଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories