ସଂସଦ ଇତିହାସରେ ପ୍ରଥମ: ‘ବନ୍ଦେ ମାତରମ୍’ ଗାନରୁ ଆରମ୍ଭ ହେଲା ମୌସୁମୀ ଅଧିବେଶନର ଶେଷ ଦିନ
ନୂଆଦିଲ୍ଲୀ: ସଂସଦର ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ମୌସୁମୀ ଅଧିବେଶନର ଶେଷ ଦିନରେ ଗୁରୁବାର ଲୋକସଭାର କାର୍ଯ୍ୟକ୍ରମ ‘ବନ୍ଦେ ମାତରମ୍’ ଗାନରୁ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସମେତ ବହୁ ସାଂସଦ ଏହି ସମୟରେ ଗୃହରେ ଉପସ୍ଥିତ ଥିଲେ।
ଏହି ଅବସରରେ ‘ବନ୍ଦେ ମାତରମ୍’ର ୬ଟି ପଦ ଗାନ କରାଯାଇଥିଲା। ଏହା ପରେ ଲୋକସଭାକୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ମୁଲତବୀ କରାଯାଇଥିଲା। କିଛି ଦିନ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ‘ବନ୍ଦେ ମାତରମ୍’ର ଅପମାନକୁ ନେଇ ଆଇନଗତ ବ୍ୟବସ୍ଥା କରୁଥିବା ବିଲ୍କୁ ମଞ୍ଜୁରି ଦେଇଥିଲେ। ନୂଆ ଆଇନ ଅନୁଯାୟୀ, ଜାଣିଶୁଣି ଜାତୀୟ ସଙ୍ଗୀତ ଗାନରେ ବାଧା ଦେବା କିମ୍ବା ଏହାକୁ ରୋକିବା ଦଣ୍ଡନୀୟ ଅପରାଧ ହୋଇଛି।
ତେବେ ମୌସୁମୀ ଅଧିବେଶନର ଶେଷ ଦିନରେ ମଧ୍ୟ ହଙ୍ଗାମା ଦେଖିବାକୁ ମିଳିଥିଲା | ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ଦଳର ସାଂସଦମାନେ ନାରାବାଜି କରିଥିଲେ। ସଂସଦ ପରିସରର ମକର ଦ୍ୱାର ନିକଟରେ ବିଜେପି ଓ ବିରୋଧୀ ଦଳ ପକ୍ଷରୁ ପୃଥକ ପ୍ରତିବାଦ ମଧ୍ୟ କରାଯାଇଥିଲା। ଲଗାତାର ବାଧା ଯୋଗୁଁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏଥର ସାଧାରଣତଃ ଦିଆଯାଉଥିବା ସମାପନୀ ଭାଷଣ ମଧ୍ୟ ଦେଇନଥିଲେ।

