ସ୍କୁଲ୍ ପରିସରରେ ଚକୋଲେଟ୍-ଚିପ୍ସଠୁ ଆରମ୍ଭ କରି ସଫ୍ଟ ଡ୍ରିଙ୍କ୍ସ ବିକ୍ରି ମନା! ମହାରାଷ୍ଟ୍ରରେ ଲାଗୁ ହେଲା କଡ଼ା କଟକଣା
ମହାରାଷ୍ଟ୍ର: ମହାରାଷ୍ଟ୍ରରେ ସ୍କୁଲ୍ ପରିସରରେ ଅସ୍ୱାସ୍ଥ୍ୟକର ଖାଦ୍ୟ ବିକ୍ରି ଉପରେ କଡ଼ା କଟକଣା ଲଗାଯାଇଛି। ରାଜ୍ୟ ଖାଦ୍ୟ ଓ ଔଷଧ ପ୍ରଶାସନ (FDA) ପକ୍ଷରୁ ସ୍କୁଲ୍ ପରିସର ଏବଂ ସ୍କୁଲ୍ଠାରୁ ୫୦ ମିଟର ଦୂରତା ମଧ୍ୟରେ ଚକୋଲେଟ୍, ଚିପ୍ସ, ସଫ୍ଟ ଡ୍ରିଙ୍କ୍ସ, ଆଇସ୍କ୍ରିମ୍, କ୍ୟାଫିନ୍ଯୁକ୍ତ ପାନୀୟ ସମେତ ଅଧିକ ଚର୍ବି, ଲୁଣ ଓ ଚିନି (HFSS) ଥିବା ଖାଦ୍ୟର ବିକ୍ରି, ବଣ୍ଟନ ଓ ବିଜ୍ଞାପନକୁ ନିଷିଦ୍ଧ କରାଯାଇଛି।
ଏହି ନିୟମ ମହାରାଷ୍ଟ୍ରର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ଘରୋଇ ସ୍କୁଲ୍ ପାଇଁ ଲାଗୁ ହେବ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୁସ୍ଥ ଖାଦ୍ୟ ଅଭ୍ୟାସ ବଢ଼ାଇବା ସହ ମୋଟାପଣ ଏବଂ ଜୀବନଶୈଳୀଜନିତ ରୋଗର ବଢ଼ୁଥିବା ଆଶଙ୍କାକୁ ରୋକିବା ଏହି ନିଷ୍ପତ୍ତିର ମୁଖ୍ୟ ଉଦ୍ଦେଶ୍ୟ ବୋଲି କର୍ତ୍ତୃପକ୍ଷ କହିଛନ୍ତି।
ଏଥିସହ ସ୍କୁଲ୍ କ୍ୟାଣ୍ଟିନ୍ରେ ଫଳ, ପନିପରିବା, ସମ୍ପୂର୍ଣ୍ଣ ଶସ୍ୟ, ଡାଲି ଏବଂ ଦୁଗ୍ଧଜାତୀୟ ଖାଦ୍ୟ ଭଳି ସ୍ୱାସ୍ଥ୍ୟକର ବିକଳ୍ପ ଉପଲବ୍ଧ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତ୍ୟେକ ସ୍କୁଲ୍ରେ ଜଣେ ଫୁଡ୍ ସେଫ୍ଟି ନୋଡାଲ୍ ଅଫିସର ନିଯୁକ୍ତ କରିବା, ସୁସ୍ଥ ଖାଦ୍ୟ ସମ୍ପର୍କରେ ସଚେତନତା ବୋର୍ଡ ଲଗାଇବା ଏବଂ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI)ର ନିର୍ଦ୍ଦେଶାବଳୀ ପାଳନ କରିବାକୁ କୁହାଯାଇଛି। ନିୟମର ବାରମ୍ବାର ଉଲ୍ଲଂଘନ ହେଲେ ନିୟାମକ କାର୍ଯ୍ୟାନୁଷ୍ଠାନ ନିଆଯିବ।

