ଆର୍ଜି କର ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ! ‘ତରବରିଆ ଭାବେ’ ଅନ୍ତିମ ସଂସ୍କାର ଅଭିଯୋଗରେ ପୂର୍ବତନ TMC ବିଧାୟକ ଗିରଫ
ପଶ୍ଚିମବଙ୍ଗ: କୋଲକାତାର ଆର୍ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ୨୦୨୪ରେ ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ହୋଇଛି। ମୃତ ଡାକ୍ତରଙ୍କ ମୃତଦେହକୁ ତରବରିଆ ଭାବେ ଅନ୍ତିମ ସଂସ୍କାର କରାଯାଇଥିବା ଅଭିଯୋଗରେ ପୂର୍ବତନ ତୃଣମୂଳ କଂଗ୍ରେସ (TMC) ବିଧାୟକ ନିର୍ମଳ ଘୋଷଙ୍କୁ ଗିରଫ କରିଛି ପୁଲିସ। ଗୁରୁବାର ଓଡ଼ିଶାର ସମ୍ବଲପୁରରୁ ତାଙ୍କୁ ଗିରଫ କରାଯାଇଥିବା ପୁଲିସ ସୂଚନା ଦେଇଛି।
ନିର୍ମଳ ଘୋଷଙ୍କ ବିରୋଧରେ ପ୍ରମାଣ ନଷ୍ଟ, ଅପରାଧିକ ଷଡ଼ଯନ୍ତ୍ର ଏବଂ କାହାକୁ ତାଙ୍କ ଇଚ୍ଛା ବିରୋଧରେ କାର୍ଯ୍ୟ କରାଇବା ଭଳି ଅଭିଯୋଗ ରହିଛି। ମୃତ ଡାକ୍ତରଙ୍କ ବାପାଙ୍କ ନୂଆ ଅଭିଯୋଗ ଆଧାରରେ ଦୁଇ ଦିନ ପୂର୍ବରୁ ଏହି ମାମଲାରେ FIR ରୁଜୁ ହୋଇଥିଲା। ଅଭିଯୋଗରେ ନିର୍ମଳ ଘୋଷଙ୍କ ସମେତ ପାନିହାଟି ପୌରପାଳିକା କାଉନସିଲର ସୋମନାଥ ଦେ ଏବଂ ପୀଡ଼ିତାଙ୍କ ପରିବାରର ଜଣେ ପଡ଼ୋଶୀ ସଞ୍ଜୀବ ମୁଖାର୍ଜୀଙ୍କ ନାମ ରହିଛି। ମୃତଦେହର ଦ୍ୱିତୀୟ ପୋଷ୍ଟମର୍ଟମର ସମ୍ଭାବନା ରୋକିବା ଏବଂ ପ୍ରମାଣ ଲୁଚାଇବା ପାଇଁ ତରବରିଆ ଭାବେ ଅନ୍ତିମ ସଂସ୍କାର କରାଯାଇଥିବା ପୀଡ଼ିତାଙ୍କ ବାପା ଅଭିଯୋଗ କରିଛନ୍ତି।
ପୁଲିସ ଅନୁସାରେ, ଏହି ନୂଆ ମାମଲା ଆର୍ଜି କର ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣାର CBI ତଦନ୍ତଠାରୁ ଅଲଗା। ଅନ୍ତିମ ସଂସ୍କାରକୁ ନେଇ ପରିବାର ପକ୍ଷରୁ ଉଠାଯାଇଥିବା ଅଭିଯୋଗ ଆଧାରରେ ଖରଦା ଥାନାରେ ଏହି ନୂଆ FIR ରୁଜୁ ହୋଇଛି। ଅନ୍ତିମ ସଂସ୍କାର ଶୁଳ୍କ ଛାଡ଼ କରାଯାଇଥିବା ଏବଂ ସମ୍ପୃକ୍ତ ଦସ୍ତାବିଜରେ ପରିବାର ସଦସ୍ୟଙ୍କ ଦସ୍ତଖତ ନଥିବା ଭଳି ପ୍ରସଙ୍ଗକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଏବେ ନୂଆ ମାମଲାରେ ତଦନ୍ତ ଆଗକୁ ବଢ଼ୁଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କ ଭୂମିକା ନେଇ ମଧ୍ୟ ପୁଲିସ ଯାଞ୍ଚ କରୁଛି।

