ନାନ୍ଦେଡ଼ ଗୁରୁଦ୍ୱାରରେ, ଅକାଳୀ ଦଳ (SAD) ମୁଖ୍ୟ ସୁଖବୀର ବାଦଲଙ୍କୁ ଆକ୍ରମଣ! କିରପାନ୍ରେ ହାତରେ ଲାଗିଲା ଆଘାତ
ମୁମ୍ବାଇ: ମହାରାଷ୍ଟ୍ରର ନାନ୍ଦେଡ଼ସ୍ଥିତ ମାତା ସାହିବ କୌର ଅଞ୍ଚଳର ଏକ ଗୁରୁଦ୍ୱାର ପରିସରରେ ଶିରୋମଣି ଅକାଳୀ ଦଳ (SAD) ମୁଖ୍ୟ ତଥା ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କୁ ଆକ୍ରମଣ କରାଯାଇଛି। ଗୁରୁବାର ସକାଳ ପ୍ରାୟ ୧୧ଟା ସମୟରେ ଜଣେ ନିହଙ୍ଗ ତାଙ୍କ ଉପରକୁ ଧାରୁଆ ଅସ୍ତ୍ର, ଯାହାକୁ କିରପାନ୍ ବୋଲି କୁହାଯାଉଛି, ତାହା ଦ୍ୱାରା ଆକ୍ରମଣ କରିଥିବା ଜଣାପଡ଼ିଛି। ଏହି ଆକ୍ରମଣ ଘଟଣାରେ ବାଦଲଙ୍କ ଡାହାଣ ହାତରେ ସାମାନ୍ୟ ଆଘାତ ଲାଗିଛି।
ଘଟଣା ସମୟରେ ବାଦଲ ନାନ୍ଦେଡ଼ରେ ବ୍ୟକ୍ତିଗତ ଗସ୍ତରେ ଥିଲେ। ସେ ପଞ୍ଜାବରୁ ନାନ୍ଦେଡ଼ରେ ପହଞ୍ଚିବାର କିଛି ସମୟ ପରେ ଗୁରୁଦ୍ୱାର ପରିସରରେ ଏହି ଆକ୍ରମଣ ଘଟିଥିଲା। ବାଦଲଙ୍କୁ ସୁରକ୍ଷା ଯୋଗାଇବା ସମୟରେ ଇନ୍ସପେକ୍ଟର ସନ୍ତୋଷ କେନ୍ଦ୍ର ମଧ୍ୟ ଆକ୍ରମଣର ଶିକାର ହୋଇ ସାମାନ୍ୟ ଆହତ ହୋଇଛନ୍ତି। ଆକ୍ରମଣକାରୀଙ୍କୁ ଘଟଣାସ୍ଥଳରୁ ପୁଲିସ ଅଟକ ରଖିଛି। ତାଙ୍କୁ ପଚରାଉଚରା କରାଯିବା ସହ ଘଟଣାର କାରଣ ଓ ଉଦ୍ଦେଶ୍ୟ ନେଇ ତଦନ୍ତ ଜାରି ରହିଛି।
ଆକ୍ରମଣ ପରେ ସୁଖବୀର ସିଂହ ବାଦଲଙ୍କୁ ଚିକିତ୍ସା ପାଇଁ ୟଶୋସାଇ ହସ୍ପିଟାଲକୁ ନିଆଯାଇଥିଲା। ତାଙ୍କ ଅବସ୍ଥା ବିପଦମୁକ୍ତ ଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ୨୦୨୪ ଡିସେମ୍ବରରେ ମଧ୍ୟ ଅମୃତସରର ସ୍ୱର୍ଣ୍ଣ ମନ୍ଦିର ବାହାରେ ବାଦଲଙ୍କ ଉପରକୁ ଗୁଳି ଚଳାଇବା ଉଦ୍ୟମ ହୋଇଥିଲା। ସେତେବେଳେ ସେ ଧାର୍ମିକ ଦଣ୍ଡ ସ୍ୱରୂପ ‘ସେବାଦାର’ ଭାବେ ଦାୟିତ୍ୱ ତୁଲୁଥିଲେ। ସେହି ଘଟଣାରେ ମଧ୍ୟ ସେ ଅକ୍ଷତ ରହିଥିଲେ।

