Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏଣିକି ଦୁର୍ଘଟଣାସ୍ଥଳରେ ୧୦ ମିନିଟ୍‌ରେ ପହଞ୍ଚିବ ଆମ୍ବୁଲାନ୍ସ! NHAIର ନୂଆ ନିୟମ: ବିଳମ୍ବ ହେଲେ ଗଣିବେ ୧୦ ଟଙ୍କା ହଜାର ଜରିମାନା;

ନୂଆଦିଲ୍ଲୀ: ଜାତୀୟ ରାଜପଥରେ ଦୁର୍ଘଟଣା ପରେ ଜରୁରୀକାଳୀନ ସେବାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ନୂଆ ନିୟମ ଜାରି କରିଛି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI)। ଏଣିକି ୧୦ କିଲୋମିଟର ପରିସର ମଧ୍ୟରେ ଘଟିଥିବା ଦୁର୍ଘଟଣାସ୍ଥଳରେ ଟିକେଟ୍‌ ଗ୍ରହଣ କରିବାର ୧୦ ମିନିଟ୍‌ ମଧ୍ୟରେ ଆମ୍ବୁଲାନ୍ସ ପହଞ୍ଚିବାକୁ ପଡ଼ିବ। ନିର୍ଦ୍ଧାରିତ ସମୟରେ ଆମ୍ବୁଲାନ୍ସ ନପହଞ୍ଚିଲେ ପ୍ରତି ଘଟଣାରେ ୧୦ ହଜାର ଟଙ୍କା ଜରିମାନା ଲାଗୁ ହେବ।

ନୂଆ ନିୟମ ଅନୁଯାୟୀ, ଆମ୍ବୁଲାନ୍ସ ଟିକେଟ୍‌ ଗ୍ରହଣ କରିବା ପରେ ଦୁର୍ଘଟଣାରେ ଆହତଙ୍କୁ ଏକ ଘଣ୍ଟା ମଧ୍ୟରେ ନିକଟସ୍ଥ ହସ୍ପିଟାଲରେ ପହଞ୍ଚାଇବା ଆବଶ୍ୟକ। ଏଥିରେ ବିଫଳ ହେଲେ ମଧ୍ୟ ୧୦ ହଜାର ଟଙ୍କା ଜରିମାନା ହେବ। ଏହାସହ ଜରୁରୀକାଳୀନ ଟିକେଟ୍‌ ପ୍ରତ୍ୟାଖ୍ୟାନ କଲେ, ଚୁକ୍ତି ଅନୁଯାୟୀ ଆବଶ୍ୟକ ଉପକରଣ, ଔଷଧ ଓ କର୍ମଚାରୀ ନଥିଲେ ମଧ୍ୟ ସମାନ ଜରିମାନା ବ୍ୟବସ୍ଥା ରହିଛି। ୧୦ କିଲୋମିଟରରୁ ଅଧିକ ଦୂରତା ପାଇଁ ଦୂରତା ଅନୁପାତରେ ଅତିରିକ୍ତ ସମୟ ଅନୁମତି ଦିଆଯିବ।

NHAIର NHAI Care System ମାଧ୍ୟମରେ ଆମ୍ବୁଲାନ୍ସ, ପେଟ୍ରୋଲିଂ ଗାଡ଼ି ଓ କ୍ରେନ୍‌ର ଗତିବିଧି ଉପରେ ନଜର ରଖାଯିବ। ସମସ୍ତ ଅନ୍-ରୋଡ୍‌ ୟୁନିଟ୍‌ରେ GPS ବ୍ୟବସ୍ଥା ରହିଛି ଏବଂ GPS ତଥ୍ୟ ଓ IMS Care Dashboard ମାଧ୍ୟମରେ ସେବାର ସମୟ ଯାଞ୍ଚ କରାଯିବ। ବର୍ତ୍ତମାନ NHAI ଅଧୀନରେ ପ୍ରାୟ ୩,୦୦୦ ଆମ୍ବୁଲାନ୍ସ ଓ ୧,୦୦୦ ପେଟ୍ରୋଲିଂ ଗାଡ଼ି ଏବଂ କ୍ରେନ୍ ପ୍ରାୟ ୫୦ ହଜାର କିଲୋମିଟର ଜାତୀୟ ରାଜପଥରେ ସେବା ଯୋଗାଉଛନ୍ତି। ସଡ଼କ ଦୁର୍ଘଟଣାରେ ଉଦ୍ଧାର ବିଳମ୍ବକୁ ନେଇ ସୁପ୍ରିମକୋର୍ଟର ରୋଡ୍ ସେଫ୍ଟି କମିଟି ଓ CAG ଅଡିଟ୍‌ରେ ମଧ୍ୟ ଚିନ୍ତା ପ୍ରକାଶ ପାଇଥିଲା। ଏହି ନୂଆ ନିୟମ ଦ୍ୱାରା ଦୁର୍ଘଟଣା ପରେ ତୁରନ୍ତ ଚିକିତ୍ସା ସହାୟତା ମିଳିବା ସହ ଜୀବନ ରକ୍ଷାରେ ବିଳମ୍ବ କମିବ ବୋଲି ଆଶା କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories