ମହିଳାଙ୍କ ଖାତାକୁ ଆସିପାରେ ୫୦ ହଜାରଟଙ୍କା ! ଯୋଗୀ ସରକାରଙ୍କ ନୂଆ ଯୋଜନାକୁ ନେଇ ଚର୍ଚ୍ଚା
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ମହିଳାଙ୍କ ପାଇଁ ବଡ଼ ଆର୍ଥିକ ସହାୟତା ଯୋଜନା ଆଣିବା ନେଇ ଯୋଗୀ ସରକାର ବିଚାର କରୁଛନ୍ତି। ଯୋଗ୍ୟ ମହିଳାଙ୍କୁ ସର୍ବାଧିକ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ଦେବା ପ୍ରସ୍ତାବ ଉପରେ ଆଲୋଚନା ଚାଲିଛି। ଏହି ରାଶିକୁ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର୍ (DBT) ମାଧ୍ୟମରେ ପଠାଇବାର ଏକ ବିକଳ୍ପ ରହିଛି। ଅନ୍ୟପକ୍ଷରେ, ଏକକାଳୀନ ୫୦ ହଜାର ଟଙ୍କା ନଦେଇ ଶିକ୍ଷା, ସ୍ୱାସ୍ଥ୍ୟ, ଦକ୍ଷତା ବିକାଶ ଓ ଆର୍ଥିକ ସଶକ୍ତୀକରଣ ଭଳି ବିଭିନ୍ନ କ୍ଷେତ୍ରରେ ଚାଲୁଥିବା ଯୋଜନାଗୁଡ଼ିକୁ ବଢ଼ାଇ ସମାନ ମୂଲ୍ୟର ସହାୟତା ଦେବା ନେଇ ମଧ୍ୟ ବିଚାର ହେଉଛି।
ବର୍ତ୍ତମାନ ଉତ୍ତରପ୍ରଦେଶରେ ମହିଳା ଓ ଝିଅମାନଙ୍କ ପାଇଁ ଏକାଧିକ ଯୋଜନା ଚାଲୁଛି। ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳା ଯୋଜନାରେ ଜନ୍ମଠାରୁ ଶିକ୍ଷାର ବିଭିନ୍ନ ପର୍ଯ୍ୟାୟ ପର୍ଯ୍ୟନ୍ତ ଯୋଗ୍ୟ ଝିଅମାନଙ୍କୁ ମୋଟ ୧୫ ହଜାର ଟଙ୍କାର ସହାୟତା ଦିଆଯାଏ। ରାଣୀ ଲକ୍ଷ୍ମୀବାଇ ସ୍କୁଟି ଯୋଜନା ମାଧ୍ୟମରେ ମେଧାବୀ ଛାତ୍ରୀଙ୍କୁ ସ୍କୁଟି ଦେବାର ଯୋଜନା ରହିଛି। ସେହିପରି ନିରାଶ୍ରିତ ମହିଳା ପେନସନ ଯୋଜନାରେ ଯୋଗ୍ୟ ମହିଳାଙ୍କୁ ପ୍ରତି ତିନି ମାସରେ ୩ ହଜାର ଟଙ୍କା ମିଳୁଛି। ଗୁରୁତର ହିଂସାର ଶିକାର ମହିଳା ଓ ଶିଶୁଙ୍କ ଚିକିତ୍ସା ଏବଂ ପୁନର୍ବାସ ପାଇଁ ରାଣୀ ଲକ୍ଷ୍ମୀବାଇ ମହିଳା ଏବଂ ବାଲ ସମ୍ମାନ କୋଷ ରହିଛି। ଏହା ବ୍ୟତୀତ ଗରିବ ପରିବାରର ଝିଅଙ୍କ ବିବାହ ପାଇଁ ମୁଖ୍ୟମନ୍ତ୍ରୀ ସାମୂହିକ ବିବାହ ଯୋଜନା ଏବଂ ମହିଳାଙ୍କୁ ଆତ୍ମନିର୍ଭର କରିବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ଓ ‘ଲକ୍ଷପତି ଦିଦି’ ଭଳି ପଦକ୍ଷେପ ମଧ୍ୟ ରହିଛି। ୬୦ ବର୍ଷରୁ ଅଧିକ ବୟସର ମହିଳାଙ୍କୁ ୟୁପି ରୋଡୱେଜ୍ ବସ୍ରେ ମାଗଣା ଯାତ୍ରା ସୁବିଧା ମଧ୍ୟ ଦିଆଯାଉଛି।
ତେବେ ପ୍ରସ୍ତାବିତ ୫୦ ହଜାର ଟଙ୍କାର ସହାୟତା କେଉଁ ମହିଳାଙ୍କୁ ମିଳିବ, ଯୋଗ୍ୟତା କ’ଣ ରହିବ ଏବଂ ଏହା ଏକକାଳୀନ ଭାବେ ମିଳିବ କି ବିଭିନ୍ନ ଯୋଜନା ମାଧ୍ୟମରେ ଦିଆଯିବ, ସେନେଇ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ। ସରକାର ମହିଳାଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଟଙ୍କା ପଠାଇବା ବିକଳ୍ପକୁ ମଧ୍ୟ ଯାଞ୍ଚ କରୁଛନ୍ତି। ଅନ୍ତିମ ନିଷ୍ପତ୍ତି ହେଲେ ଶିକ୍ଷା, ସ୍ୱାସ୍ଥ୍ୟ, ଦକ୍ଷତା ବିକାଶ ସହ ମହିଳାଙ୍କ ରୋଜଗାର ଓ ଆର୍ଥିକ ସ୍ୱାଧୀନତାକୁ ଗୁରୁତ୍ୱ ଦିଆଯାଇପାରେ। ତେବେ ୫୦ ହଜାର ଟଙ୍କାର ଏହି ପ୍ରସ୍ତାବ ଏବେ ବିଚାରାଧୀନ ଥିବାରୁ ଏହାକୁ ନେଇ କୌଣସି ଚୂଡ଼ାନ୍ତ ଘୋଷଣା ହୋଇନାହିଁ।

