Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

FMG ପରୀକ୍ଷାରେ ବିଫଳ, ନକଲି ସାର୍ଟିଫିକେଟ୍‌ କିଣି ହେଲେ ‘ଡାକ୍ତର’! ରାଜସ୍ଥାନରେ ୩ ଗିରଫ

ରାଜସ୍ଥାନ: ରାଜସ୍ଥାନରେ ନକଲି ମେଡିକାଲ ସାର୍ଟିଫିକେଟ୍‌ ଜରିଆରେ ଡାକ୍ତର ଭାବେ ପଞ୍ଜୀକରଣ କରିବା ଅଭିଯୋଗରେ ୩ ଜଣଙ୍କୁ ପୁଲିସ ଗିରଫ କରିଛି। ଅଭିଯୋଗ ଅନୁସାରେ, ବିଦେଶରୁ MBBS ଡିଗ୍ରୀ ହାସଲ କରିଥିବା ଏହି ବ୍ୟକ୍ତିମାନେ ବାଧ୍ୟତାମୂଳକ FMG (ଫରେନ୍ ମେଡିକାଲ ଗ୍ରାଜୁଏଟ) ସ୍କ୍ରିନିଂ ପରୀକ୍ଷାରେ ବାରମ୍ବାର ବିଫଳ ହେବା ପରେ ନକଲି ସାର୍ଟିଫିକେଟ୍‌ ପାଇଁ ୨୫ରୁ ୨୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେଇଥିଲେ।

ଗିରଫ ହୋଇଥିବା ଆଶିଷ କୁମାର ପାକିସ୍ତାନରୁ MBBS କରିଥିବା ବେଳେ FMG ପରୀକ୍ଷା ୩ ଥର ଦେଇ ମଧ୍ୟ ପାସ୍ କରିପାରିନଥିଲେ। ସେ ୨୫ ଲକ୍ଷ ଟଙ୍କା ଦେଇ ନକଲି ସାର୍ଟିଫିକେଟ୍‌ ହାସଲ କରିଥିବା ପୁଲିସ କହିଛି। ସେହିପରି ରାଜେନ୍ଦ୍ର କୁମାର ଯାଦବ ଚୀନ୍‌ରୁ MBBS କରିଥିଲେ ଏବଂ ଅନେକଥର ପରୀକ୍ଷାରେ ବିଫଳ ହେବା ପରେ ୨୯ ଲକ୍ଷ ଟଙ୍କାରେ ନକଲି ସାର୍ଟିଫିକେଟ୍‌ କିଣିଥିବା ଅଭିଯୋଗ ରହିଛି। ତୃତୀୟ ଅଭିଯୁକ୍ତ ନରେଶ ରୋଲାନିଆ ମଧ୍ୟ ପାକିସ୍ତାନରୁ MBBS କରିଥିଲେ ଏବଂ ୨୬ ଲକ୍ଷ ଟଙ୍କା ଦେଇ ନକଲି ସାର୍ଟିଫିକେଟ୍‌ ନେଇଥିବା ପୁଲିସ ଦାବି କରିଛି।

ଘଟଣାର ସବୁଠାରୁ ଚିନ୍ତାଜନକ ଦିଗ ହେଉଛି, ନରେଶ ଆବଶ୍ୟକ FMG ପରୀକ୍ଷା ପାସ୍ କରିନଥିବା ଏବଂ ରାଜସ୍ଥାନ ମେଡିକାଲ କାଉନସିଲ୍‌ରେ ପଞ୍ଜୀକୃତ ନଥିବା ସତ୍ତ୍ୱେ ଏକ ହସ୍ପିଟାଲର ଏମର୍ଜେନ୍ସି ୱାର୍ଡରେ ରୋଗୀଙ୍କ ଚିକିତ୍ସା କରୁଥିବା ତଦନ୍ତରୁ ଜଣାପଡ଼ିଛି। ଏହି ମାମଲାରେ ବିଦେଶୀ ମେଡିକାଲ ଗ୍ରାଜୁଏଟ୍‌, ଦଲାଲ ଓ ଅନ୍ୟ କିଛି ବ୍ୟକ୍ତିଙ୍କ ସମ୍ପୃକ୍ତି ନେଇ ପୁଲିସ ତଦନ୍ତ ଚଳାଇଛି। ଏପର୍ଯ୍ୟନ୍ତ ୧୦୦ରୁ ଅଧିକ ବିଦେଶୀ ମେଡିକାଲ ଗ୍ରାଜୁଏଟ୍‌ ପୁଲିସର ସ୍କାନରରେ ଥିବା ବେଳେ ବ୍ୟାପକ ରାକେଟ୍‌ ସହ ଜଡ଼ିତ ପ୍ରାୟ ୩୦ ଜଣଙ୍କୁ ଗିରଫ କରାଯାଇଥିବା ପୁଲିସ କହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories