ଡ୍ରଗ୍ସ କିଙ୍ଗପିନ୍ ବୀରେନ୍ଦ୍ର ବସୋୟାକୁ ୟୁଏଇରୁ-ଭାରତକୁ ଅଣାଗଲା ; ଏନ୍ସିବିକୁ ବଡ଼ ସଫଳତା
ନୂଆଦିଲ୍ଲୀ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି)କୁ ମିଳିଛି ବଡ଼ ସଫଳତା। ୟୁଏଇରୁ ପଳାତକ ଡ୍ରଗ୍ସ କିଙ୍ଗପିନ୍ ବୀରେନ୍ଦ୍ର ସିଂହ ବସୋୟାଙ୍କୁ ଭାରତ ଫେରାଇ ଅଣାଯାଇଛି। ଶୁକ୍ରବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏନେଇ ସୂଚନା ଦେଇଛନ୍ତି। ଡ୍ରଗ୍ସ ଚୋରାଚାଲାଣ ବିରୋଧରେ କେନ୍ଦ୍ର ସରକାରଙ୍କ ‘ଶୂନ୍ୟ-ସହନଶୀଳତା’ ନୀତିରେ ଏହାକୁ ଏକ ବଡ଼ ସଫଳତା ବୋଲି କୁହାଯାଉଛି।
ସୂଚନା ଅନୁଯାୟୀ, ବୀରେନ୍ଦ୍ର ସିଂହ ବସୋୟା ଦୀର୍ଘଦିନ ଧରି ୟୁଏଇରେ ଲୁଚି ରହିଥିଲା। ଡ୍ରଗ୍ସ ଚୋରାଚାଲାଣ ସହ ଜଡ଼ିତ ମାମଲାରେ ସେ ଭାରତୀୟ ଏଜେନ୍ସିଙ୍କ ନଜରରେ ଥିଲା। ଏନ୍ସିବିର କାର୍ଯ୍ୟାନୁଷ୍ଠାନ ପରେ ତାଙ୍କୁ ଭାରତକୁ ଅଣାଯାଇଥିବା ଜଣାପଡ଼ିଛି। ଦେଶ ବାହାରେ ଲୁଚିଥିବା ଡ୍ରଗ୍ସ ଚୋରାଚାଲାଣକାରୀଙ୍କ ବିରୋଧରେ ଏନ୍ସିବିର ଅଭିଯାନ ଜାରି ରହିଥିବା କୁହାଯାଇଛି।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ‘ଏକ୍ସ’ରେ ଏନ୍ସିବିର ଏହି କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କରିଛନ୍ତି। ବିଦେଶରେ ଲୁଚିଥିବା ଡ୍ରଗ୍ସ ଚୋରାଚାଲାଣକାରୀଙ୍କୁ ଭାରତୀୟ ଏଜେନ୍ସିଗୁଡ଼ିକ ନିରନ୍ତର ଟ୍ରାକ୍ କରୁଥିବା ସେ କହିଛନ୍ତି। ଅପରାଧୀମାନେ ବିଦେଶରେ ଲୁଚିଲେ ମଧ୍ୟ ଭାରତୀୟ ଆଇନ ବ୍ୟବସ୍ଥାରୁ ଖସିପାରିବେ ନାହିଁ ବୋଲି ଶାହ ଉଲ୍ଲେଖ କରିଛନ୍ତି।

