ବସ୍ ଡ୍ରାଇଭରଙ୍କ ସହ ଯୁକ୍ତିତର୍କ ପରେ ଥର୍ ଚଢ଼ାଇଦେଲେ ଯୁବକ, ଘଟଣା ପରେ ଫେରାର; ଭିଡିଓ ଭାଇରାଲ୍
ଉତ୍ତରାଖଣ୍ଡ: ହରିଦ୍ୱାରର ହରିପୁର ଫ୍ଲାଏଓଭରରେ ବସ୍ ଡ୍ରାଇଭରଙ୍କ ସହ ଯୁକ୍ତିତର୍କ ପରେ ଜଣେ ଯୁବକ ତାଙ୍କ ଥର୍ ଗାଡ଼ି ଚଢ଼ାଇ ଦେଇଥିବା ଅଭିଯୋଗ ହୋଇଛି। ଗୁରୁବାର ଘଟିଥିବା ଏହି ଘଟଣାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଭିଡିଓରେ ଥର୍ଟି ବସ୍ ଡ୍ରାଇଭରଙ୍କୁ ଧକ୍କା ଦେଉଥିବା ବେଳେ ଘଟଣାସ୍ଥଳରେ ଥିବା ଲୋକେ ତାଙ୍କୁ ବଞ୍ଚାଇବା ପାଇଁ ଦୌଡ଼ି ଆସୁଥିବା ଦେଖାଯାଇଛି।
ପୁଲିସର ସୂଚନା ଅନୁଯାୟୀ, ଫ୍ଲାଏଓଭରରୁ ତଳକୁ ଓହ୍ଲାଇବା ସମୟରେ ବସ୍ ଓ ଥାର୍ ମଧ୍ୟରେ ଅଳ୍ପକେ ଧକ୍କା ହେବାରୁ ବର୍ତ୍ତିଥିଲା। ଏହାପରେ ବସ୍ ଡ୍ରାଇଭର ଥର୍ଟିକୁ ଅଟକାଇ ଚାଳକଙ୍କୁ ସାବଧାନରେ ଗାଡ଼ି ଚଳାଇବାକୁ କହିଥିବା ଜଣାପଡ଼ିଛି। ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ପରେ ଥର୍ ଚାଳକ ହଠାତ୍ ଗାଡ଼ି ଆଗକୁ ନେଇ ବସ୍ ଡ୍ରାଇଭରଙ୍କୁ ଧକ୍କା ଦେଇଥିବା ପୁଲିସ କହିଛି।
ଘଟଣାରେ ଆହତ ବସ୍ ଡ୍ରାଇଭରଙ୍କୁ ତୁରନ୍ତ ହସ୍ପିଟାଲ୍କୁ ନିଆଯାଇ ଚିକିତ୍ସା କରାଯାଇଛି। ଅନ୍ୟପକ୍ଷରେ ଘଟଣା ପରେ ଥର୍ ଚାଳକ ଗାଡ଼ି ନେଇ ସେଠାରୁ ଫେରାର ହୋଇଯାଇଛନ୍ତି। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଚାଳକଙ୍କୁ ଧରିବା ପାଇଁ ଖୋଜାଖୋଜି ଆରମ୍ଭ କରିଛି।

