Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

PUBG ଖେଳି ୩ ଲକ୍ଷ ଟଙ୍କା ହରାଇଲେ ଛାତ୍ର, AIରେ ନକଲି ଫଟୋ ତିଆରି କରି ରଚିଲେ ନିଜ ଅପହରଣର ନାଟକ!

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଗୋରଖପୁରରେ ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ର ନିଜ ଅପହରଣର ମିଛ ନାଟକ ରଚିଥିବା ଅଭିଯୋଗ ସାମ୍ନାକୁ ଆସିଛି। PUBG ଖେଳି ପ୍ରାୟ ୩ ଲକ୍ଷ ଟଙ୍କା ଋଣରେ ପଡ଼ିବା ପରେ ୧୬ ବର୍ଷୀୟ ଛାତ୍ର ଏଭଳି ଯୋଜନା କରିଥିବା ପୁଲିସ କହିଛି। ନିଜ ପ୍ରେମିକାଙ୍କ ସହାୟତାରେ AI ଟୁଲ୍‌ ବ୍ୟବହାର କରି ପାଟିରେ ଟେପ୍‌ ଲାଗିଥିବା ଓ ଶରୀରରେ ରକ୍ତ ଦାଗ ଥିବା ଭଳି ନକଲି ଫଟୋ ତିଆରି କରିଥିଲେ। ପରେ ସେହି ଫଟୋ ବାପାଙ୍କୁ ହ୍ୱାଟ୍ସଆପ୍‌ରେ ପଠାଇ ୧ ଲକ୍ଷ ଟଙ୍କା ଦାବି କରିଥିବା ଜଣାପଡ଼ିଛି।

ପୁଲିସର ସୂଚନା ଅନୁସାରେ, ଛାତ୍ର ଜଣକ PUBG ଖେଳିବା ପାଇଁ ସାଙ୍ଗ ଓ ପରିଚିତଙ୍କଠାରୁ ଟଙ୍କା ଧାର ନେଇଥିଲେ। ଧାର ପରିଶୋଧ କରିବାକୁ ଚାପ ବଢ଼ିବା ପରେ ସେ ନିଜ ଅପହରଣର ନାଟକ କରି ପରିବାରଠାରୁ ଟଙ୍କା ଆଦାୟ କରିବାକୁ ଯୋଜନା କରିଥିଲେ। ଦିଲ୍ଲୀରେ ରହୁଥିବା ତାଙ୍କ ପ୍ରେମିକା AI ମାଧ୍ୟମରେ ନକଲି ଫଟୋ ପ୍ରସ୍ତୁତ କରିବାରେ ସହାୟତା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଅଗଷ୍ଟ ୧୧ ତାରିଖ ସନ୍ଧ୍ୟାରେ ଘରୁ ବାହାରି ସିକ୍ରିଗଞ୍ଜ ଅଞ୍ଚଳକୁ ଯିବା ପରେ ସେ ମୋବାଇଲ୍‌କୁ ଫ୍ଲାଇଟ୍‌ ମୋଡ୍‌ରେ ରଖିଥିଲେ। ପରେ ଜଣେ ସାଙ୍ଗଙ୍କ Wi-Fi ସହ ମୋବାଇଲ୍‌କୁ ଯୋଡ଼ି ବାପାଙ୍କୁ ଧମକପୂର୍ଣ୍ଣ ମେସେଜ୍‌ ଓ ନକଲି ଫଟୋ ପଠାଇଥିଲେ।

ଫଟୋ ଦେଖି ଛାତ୍ରଙ୍କ ବାପା ଭୟଭୀତ ହୋଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ଛାତ୍ରଙ୍କ ମୋବାଇଲ୍‌ ନମ୍ବରକୁ ସର୍ଭିଲାନ୍ସରେ ରଖି ତାଙ୍କ ଗତିବିଧି ଟ୍ରାକ୍‌ କରିଥିଲା। ପ୍ରାୟ ଦୁଇ ଘଣ୍ଟା ମଧ୍ୟରେ ତାଙ୍କ ଅବସ୍ଥାନ ଚିହ୍ନଟ ହୋଇଥିଲା। ରାତି ପ୍ରାୟ ୨ଟାରେ ପୁଲିସ ଏକ ସାଙ୍ଗଙ୍କ ଘରେ ତାଙ୍କୁ ସୁରକ୍ଷିତ ଅବସ୍ଥାରେ ଠାବ କରି ଥାନାକୁ ନେଇଥିଲା। ପଚରାଉଚରା ବେଳେ ସେ ଋଣ ପରିଶୋଧ କରିବା ପାଇଁ ଅପହରଣର ମିଛ କାହାଣୀ ତିଆରି କରିଥିବା ସ୍ୱୀକାର କରିଥିବା ପୁଲିସ ସୂଚନା ଦେଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories