Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇଣ୍ଡୋନେସିଆରେ ୭.୭ ତୀବ୍ରତାର ଭୂମିକମ୍ପ, ୨୦ ମୃତ; ଭୁଶୁଡ଼ିଲା ଅନେକ କୋଠା

ଇଣ୍ଡୋନେସିଆର ଫ୍ଲୋରେସ୍ ଦ୍ୱୀପ ନିକଟରେ ଶନିବାର ଭୋରୁ ୭.୭ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ହୋଇଛି। ଭୂମିକମ୍ପରେ ଅତି କମରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ କୋଠା ଓ ଘର କ୍ଷତିଗ୍ରସ୍ତ ହୋଇଛି। ଭୂମିକମ୍ପ ପରେ କିଛି ସମୟ ପାଇଁ ସୁନାମି ସତର୍କତା ଜାରି କରାଯାଇଥିଲା, ପରେ ଏହାକୁ ପ୍ରତ୍ୟାହାର କରାଯାଇଛି।

ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (USGS) ଅନୁସାରେ, ଇଣ୍ଡୋନେସିଆ ସମୟ ଭୋର ୫ଟା ୫୮ ମିନିଟ୍‌ରେ ଭୂମିକମ୍ପ ହୋଇଥିଲା। ଏହାର ଗଭୀରତା ପ୍ରାୟ ୧୦ କିଲୋମିଟର ଥିବାବେଳେ ପୂର୍ବ ନୁସା ତେଙ୍ଗାରା ପ୍ରଦେଶର ଏଣ୍ଡେ ସହରଠାରୁ ପ୍ରାୟ ୬୮ କିଲୋମିଟର ଉତ୍ତର-ଉତ୍ତରପଶ୍ଚିମରେ ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା। ସୋସିଆଲ ମିଡିଆରେ ଭାଇରାଲ ଭିଡିଓରେ ଅନେକ କୋଠା ଭୁଶୁଡ଼ି ପଡ଼ୁଥିବା ଏବଂ ଲୋକମାନେ ଭୟରେ ଦୌଡ଼ୁଥିବା ଦେଖାଯାଇଛି। ନାଗେକେଓର ଜଣେ ବାସିନ୍ଦା କହିଛନ୍ତି ଯେ ଭୂମିକମ୍ପ ସମୟରେ ସେ ବଜାରରେ ଥିଲେ। ଝଟକା ଏତେ ଶକ୍ତିଶାଳୀ ଥିଲା ଯେ ଲୋକେ ଭୟଭୀତ ହୋଇ ଉଚ୍ଚ ସ୍ଥାନକୁ ଯିବାକୁ ଦୌଡ଼ିଥିଲେ।

ଭୂମିକମ୍ପ ପରେ ଇଣ୍ଡୋନେସିଆର ମେଟିଓରୋଲୋଜି, କ୍ଲାଇମେଟୋଲୋଜି ଆଣ୍ଡ ଜିଓଫିଜିକ୍ସ ଏଜେନ୍ସି (BMKG) ଉତ୍ତର ଫ୍ଲୋରେସ୍ ଉପକୂଳ ଏବଂ ଆଖପାଖ ଅଞ୍ଚଳର ଲୋକଙ୍କୁ ତୁରନ୍ତ ଉଚ୍ଚ ସ୍ଥାନକୁ ଯିବାକୁ ସତର୍କ କରିଥିଲା। ପରେ ସୁନାମି ସତର୍କତା ହଟାଇ ଦିଆଯାଇଥିଲା। ଇଣ୍ଡୋନେସିଆ ‘ରିଙ୍ଗ ଅଫ୍ ଫାୟାର’ ଅଞ୍ଚଳରେ ଅବସ୍ଥିତ ଥିବାରୁ ଏଠାରେ ବାରମ୍ବାର ଭୂମିକମ୍ପ ହୋଇଥାଏ। ୧୯୯୨ରେ ଫ୍ଲୋରେସ୍ ଅଞ୍ଚଳରେ ୭.୦ ତୀବ୍ରତାର ଭୂମିକମ୍ପ ପରେ ସୁନାମି ଆସି ପ୍ରାୟ ୨,୫୦୦ ଲୋକଙ୍କ ଜୀବନ ଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ