ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ: ମୋଦୀଜୀଙ୍କ ନେତୃତ୍ୱରେ ଦେଶ ଆଜି ସୁରକ୍ଷିତ
୮୦ତମ ସ୍ୱାଧୀନତା ଦିବସ ଅବସରରେ ରାଜ୍ୟବାସୀ ତଥା ଦେଶ ଓ ବିଦେଶରେ ବସବାସ କରୁଥିବା ପ୍ରତ୍ୟେକ ଭାରତୀୟଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ସ୍ୱାଧୀନତା ସଂଗ୍ରାମର ମହାନ ଯୋଦ୍ଧା ଓ ଓଡ଼ିଶାର ବୀର ସଂଗ୍ରାମୀମାନଙ୍କ ତ୍ୟାଗ ଓ ବଳିଦାନକୁ ସ୍ମରଣ କରି ସେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପାଇକ ବିଦ୍ରୋହ, ପ୍ରଜାମଣ୍ଡଳ ଆନ୍ଦୋଳନ, ଇରମ୍, ଘୁମୁସର, କନ୍ଧ ଓ ଆଦିବାସୀ ବିଦ୍ରୋହ ସମେତ ଓଡ଼ିଶାର ବିଭିନ୍ନ ଜନଆନ୍ଦୋଳନର ଅବଦାନକୁ ସେ ସ୍ମରଣ କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତ ୮୦ ବର୍ଷରେ ଭାରତ ବିକାଶ ଯାତ୍ରାରେ ଅନେକ ଆଗକୁ ବଢ଼ି ବିଶ୍ୱର ଏକ ବୃହତ୍ ଅର୍ଥନୀତିରେ ପରିଣତ ହୋଇଛି। ମୋଦୀ ସରକାରଙ୍କ ନେତୃତ୍ୱରେ ଦେଶ ଆତ୍ମବିଶ୍ୱାସ, ଆତ୍ମନିର୍ଭରତା ଓ ଆତ୍ମସମ୍ମାନରେ ଆଗକୁ ବଢ଼ୁଛି ବୋଲି ସେ କହିଛନ୍ତି। ବାଲାକୋଟ ଏୟାର ଷ୍ଟ୍ରାଇକ୍ ଓ ‘ଅପରେସନ ସିନ୍ଦୂର’କୁ ଉଦାହରଣ ଦେଇ ମୋଦୀଜୀଙ୍କ ନେତୃତ୍ୱରେ ଦେଶ ଆଜି ସୁରକ୍ଷିତ ବୋଲି ସେ ଦାବି କରିଛନ୍ତି। ନକ୍ସଲ ଓ ମାଓବାଦୀ ହିଂସାର ଅବସାନକୁ ମଧ୍ୟ ସେ ଏକ ବଡ଼ ସଫଳତା ଭାବେ ବର୍ଣ୍ଣନା କରିଛନ୍ତି।
ଓଡ଼ିଶା ସରକାରଙ୍କ ଦୁଇ ବର୍ଷର କାର୍ଯ୍ୟକାଳ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ମହିଳା ସଶକ୍ତିକରଣ ଓ ଗ୍ରାମୀଣ ଭିତ୍ତିଭୂମି ଉପରେ ସରକାରଙ୍କ ପଦକ୍ଷେପ ବିଷୟରେ ଉଲ୍ଲେଖ କରିଛନ୍ତି। ‘କେଜିରୁ ପିଜି’ ନିଃଶୁଳ୍କ ଶିକ୍ଷା, ନୂଆ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ଶିକ୍ଷକ ନିଯୁକ୍ତି, ନୂଆ ସରକାରୀ କଲେଜ ଓ ବିଶ୍ୱବିଦ୍ୟାଳୟ ସହ ସ୍ୱାସ୍ଥ୍ୟ କ୍ଷେତ୍ରରେ ନୂଆ ମେଡିକାଲ ଓ ନର୍ସିଂ କଲେଜ ପ୍ରତିଷ୍ଠା ବିଷୟରେ ସେ ସୂଚନା ଦେଇଛନ୍ତି। କୃଷକଙ୍କ ଆୟ ବୃଦ୍ଧି, ଧାନ କ୍ରୟ, ପିଏମ୍ କିଷାନ ଓ ସିଏମ୍ କିଷାନ ଯୋଜନା ସହିତ ‘ସୁଭଦ୍ରା’ ଓ ‘ଲକ୍ଷପତି ଦିଦି’ ଭଳି ଯୋଜନା ମାଧ୍ୟମରେ ମହିଳା ସଶକ୍ତିକରଣ ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି।

