ସମ୍ବଲପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଆହତଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ
ସମ୍ବଲପୁରରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ପୁରୀରୁ ସମ୍ବଲପୁର ଆସୁଥିବା ଏକ ବସ୍ କଂସର ନିକଟରେ ରାସ୍ତାକଡ଼ରେ ଠିଆ ହୋଇଥିବା ଏକ ଟ୍ରେଲରକୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଦୁର୍ଘଟଣାରେ OT&AS ଅଧିକାରୀ ପ୍ରୀତି ସୁମନ ପ୍ରଧାନଙ୍କ ଅକାଳ ବିୟୋଗକୁ ମୁଖ୍ୟମନ୍ତ୍ରୀ ରାଜ୍ୟ ପ୍ରଶାସନ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି। ଦିବଙ୍ଗତ ଆତ୍ମାଙ୍କ ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସେ ଗଭୀର ସମବେଦନା ଜଣାଇଛନ୍ତି। ଆହତ ଯାତ୍ରୀମାନଙ୍କୁ ତୁରନ୍ତ ସମୁଚିତ ଚିକିତ୍ସା ସେବା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ ଦିବଙ୍ଗତ ଆତ୍ମାଙ୍କୁ ସଦଗତି ଦିଅନ୍ତୁ ଏବଂ ତାଙ୍କ ପରିବାରକୁ ଏହି ଦାରୁଣ ଦୁଃଖ ସହିବା ପାଇଁ ସାହସ ଓ ଧୈର୍ଯ୍ୟ ପ୍ରଦାନ କରନ୍ତୁ ବୋଲି ସେ ପ୍ରାର୍ଥନା କରିଛନ୍ତି।

