Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଭାବିତ ଲୋକଙ୍କ ଆବଶ୍ୟକତା ଅନୁସାରେ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ଜାରି: ସୁରେଶ ପୂଜାରୀ

ଭୁବନେଶ୍ୱର: ଓଡ଼ିଶାରେ ବନ୍ୟା ପରିସ୍ଥିତି ଜାରି ରହିଥିବା ବେଳେ ପ୍ରଭାବିତ ଅଞ୍ଚଳରେ ରିଲିଫ୍, ଉଦ୍ଧାର, ପୁନରୁଦ୍ଧାର ଓ ଅତ୍ୟାବଶ୍ୟକ ସେବା କାର୍ଯ୍ୟ ନିରନ୍ତର ଭାବେ ଜାରି ରହିଛି। ଗତକାଲି ସ୍ପେଶାଲ୍ ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରେ ବନ୍ୟା ପରିସ୍ଥିତିର ସମୀକ୍ଷା କରି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ଜନସାଧାରଣଙ୍କ ଧନ ଓ ଜୀବନର ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଆଗାମୀ ଦିନରେ ବନ୍ୟା ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି।

ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ଅଧୀନସ୍ଥ ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର (SEOC) ରିପୋର୍ଟ ଅନୁଯାୟୀ, ବନ୍ୟା ଯୋଗୁଁ ୬ଟି ଜିଲ୍ଲା, ୫୨ଟି ବ୍ଲକ୍, ୨୨୭ଟି ଗ୍ରାମ ପଞ୍ଚାୟତ ଏବଂ ୫୦୩ଟି ଗାଁ ପ୍ରଭାବିତ ହୋଇଛି। ପ୍ରାୟ ୨,୭୦,୨୧୨ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦୁଝର ଜିଲ୍ଲା ଉପରେ ବିଶେଷ ନଜର ରହିଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୯୫,୨୦୬ ଜଣଙ୍କୁ ସ୍ଥାନାନ୍ତର କରାଯାଇ ୨୨୬ଟି ଆଶ୍ରୟସ୍ଥଳୀରେ ରଖାଯାଇଛି। ଆଶ୍ରୟସ୍ଥଳୀଗୁଡ଼ିକରେ ରନ୍ଧା ଖାଦ୍ୟ, ନିରାପଦ ପାନୀୟ ଜଳ, ପରିମଳ, ଆଲୋକ ଓ ଚିକିତ୍ସା ସେବା ଭଳି ଆବଶ୍ୟକ ସୁବିଧା ଯୋଗାଇ ଦିଆଯାଉଛି। ଶିଶୁ, ଗର୍ଭବତୀ ମହିଳା, ବୟସ୍କ ଓ ଦିବ୍ୟାଙ୍ଗଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି।

ପ୍ରଭାବିତ ଅଞ୍ଚଳରେ ଉଦ୍ଧାର, ସ୍ଥାନାନ୍ତର, ରିଲିଫ୍ ଓ ଜରୁରୀକାଳୀନ ପ୍ରତିକ୍ରିୟା ପାଇଁ ମୋଟ ୧୧୮ଟି ରେସପନ୍ସ ଟିମ୍ ନିୟୋଜିତ ହୋଇଛନ୍ତି। ଏଥିରେ ୩୬ଟି ODRAF, ୭ଟି NDRF, ୩୫ଟି ଅଗ୍ନିଶମ ଓ ଜରୁରୀକାଳୀନ ସେବା ଟିମ୍ ଏବଂ ୪୦ଟି ପୋଲିସ, ସିଭିଲ୍ ଡିଫେନ୍ସ ଓ ସ୍ଥାନୀୟ ଟିମ୍ ରହିଛନ୍ତି। ଆବଶ୍ୟକତା ଅନୁଯାୟୀ ଦୁର୍ବଳ ଓ ପ୍ରଭାବିତ ଅଞ୍ଚଳରେ ତୁରନ୍ତ ସହାୟତା ପହଞ୍ଚାଇବା ପାଇଁ ଅତିରିକ୍ତ ରେସପନ୍ସ ଟିମ୍‌ଗୁଡ଼ିକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ