ଆଜି ଓଡ଼ିଶା ଅନଲାଇନ୍ ଚାଳକ ମିଳିତ ସଙ୍ଘ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା
ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ଆଜି ଓଡ଼ିଶା ଅନଲାଇନ୍ ଚାଳକ ମିଳିତ ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଓଲା, ଉବର, ରାପିଡୋ, ଓଡ଼ିଶା ଯାତ୍ରୀ ସମେତ ଅନଲାଇନ୍ ଟ୍ୟାକ୍ସି ଓ କ୍ୟାବ୍ ସେବା ଯୋଗାଉଥିବା ସଂସ୍ଥାଗୁଡ଼ିକର କାର୍ଯ୍ୟପ୍ରଣାଳୀକୁ ନେଇ ଚାଳକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ଅନଲାଇନ୍ ଟ୍ୟାକ୍ସି ଭଡ଼ା ଉପରେ ନିୟନ୍ତ୍ରଣ ଲାଗୁ କରିବା ସହ ଚାଳକଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ସ୍ପଷ୍ଟ ନିୟମ ପ୍ରଣୟନ କରିବାକୁ ସଂଘ ଦାବି କରିଛି। ୨୧ଟି ସଂଗଠନର ସମର୍ଥନରେ ଏହି ଆନ୍ଦୋଳନ ହେଉଥିବାବେଳେ, କଟକ ଓ ଭୁବନେଶ୍ୱର ସମେତ ବିଭିନ୍ନ ଜିଲ୍ଲାରେ ଏହାର ପ୍ରଭାବ ପଡ଼ିବ ବୋଲି ସଂଘ କହିଛି।
ସଂଘର ପ୍ରମୁଖ ଦାବି ମଧ୍ୟରେ ଅନଲାଇନ୍ ଟ୍ୟାକ୍ସି ପାଇଁ ସର୍ବନିମ୍ନ ଓ ସର୍ବାଧିକ ଭଡ଼ା ନିର୍ଦ୍ଧାରଣ, ଚାଳକଙ୍କ ଆକାଉଣ୍ଟକୁ ବିନା ତଦନ୍ତରେ ବ୍ଲକ୍ ନକରିବା, ୱେଟିଂ ଚାର୍ଜ ଓ ଟ୍ରାଫିକ୍ ଜାମ୍ ସମୟର ପାରିଶ୍ରମିକ ପ୍ରଦାନ ଏବଂ କ୍ୟାନ୍ସେଲେସନ୍ ଫି’ର ସମ୍ପୂର୍ଣ୍ଣ ଅଂଶ ଚାଳକଙ୍କୁ ଦେବା ଅନ୍ୟତମ। ଗ୍ରାହକଙ୍କୁ ଦିଆଯାଉଥିବା ଅଫର କିମ୍ବା ରିହାତିର ଆର୍ଥିକ ଭାର ଚାଳକଙ୍କ ଉପରେ ନପକାଇବାକୁ ମଧ୍ୟ ମଞ୍ଚ ଦାବି କରିଛି। ଏହା ସହ ଓଡ଼ିଶାରେ ବ୍ୟବସାୟ କରୁଥିବା ପ୍ରତ୍ୟେକ ଆପ୍ ଆଗ୍ରିଗେଟର କମ୍ପାନିର ଅତିକମ୍ରେ ଗୋଟିଏ କାର୍ଯ୍ୟାଳୟ ରହିବା ବାଧ୍ୟତାମୂଳକ କରିବାକୁ ଦାବି ହୋଇଛି।
ଅନ୍ୟପକ୍ଷରେ, ମଧ୍ୟସ୍ଥିଙ୍କ ଜରିଆରେ ଗାଡ଼ି ଚଳାଉଥିବା ଡ୍ରାଇଭରମାନେ ଶୋଷଣର ଶିକାର ହେଉଥିବା ସଂଘ ଅଭିଯୋଗ କରିଛି। ଅନଲାଇନ୍ କମ୍ପାନିଗୁଡ଼ିକ ଅନିୟନ୍ତ୍ରିତ ଭାବେ ନୂଆ ଗାଡ଼ି ଆଟାଚ୍ କରୁଥିବାରୁ ଚାହିଦା ଓ ଯୋଗାଣ ମଧ୍ୟରେ ସନ୍ତୁଳନ ବିଗିଡ଼ିଛି ଏବଂ ପୁରୁଣା ଚାଳକଙ୍କ ଆୟ ହ୍ରାସ ପାଉଛି ବୋଲି ମଞ୍ଚ କହିଛି। ତେଣୁ ନୂଆ ଗାଡ଼ି ଆଟାଚମେଣ୍ଟ ଉପରେ ରୋକ୍ ଲଗାଇ ପ୍ରତିବର୍ଷ ନିର୍ଦ୍ଧିଷ୍ଟ ସୀମା ମଧ୍ୟରେ ନୂଆ ଗାଡ଼ି ଯୋଡ଼ିବାକୁ ନିୟମ କରିବାକୁ ଦାବି ହୋଇଛି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

