Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘ଭୂତ ରହୁଛି’ଗୁଜବରେ ଖାଲି ହେଲା ହଷ୍ଟେଲ! ୬୦୦ ଛାତ୍ରଛାତ୍ରୀ ଛାଡ଼ିଲେ ସ୍କୁଲ

ମୁମ୍ବାଇ: ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାର ଏକ ସରକାରୀ ଆଦିବାସୀ ଆବାସିକ ବିଦ୍ୟାଳୟରେ ଅଜବ ଘଟଣାକୁ ନେଇ ଭୟର ପରିବେଶ ସୃଷ୍ଟି ହୋଇଛି। କିଛି ଛାତ୍ରୀ ଅସ୍ୱାଭାବିକ ଆଚରଣ କରିବା ପରେ ସେମାନଙ୍କୁ ‘ଭୂତ ଲାଗିଛି’ ବୋଲି ଗୁଜବ ପ୍ରଚାର ହୋଇଥିଲା। ଏହା ପରେ ଭୟଭୀତ ହୋଇ ପ୍ରାୟ ୬୦୦ ଛାତ୍ରଛାତ୍ରୀ ହଷ୍ଟେଲ ଛାଡ଼ି ଚାଲିଯାଇଥିବା ଜଣାପଡ଼ିଛି।

ଘଟଣାଟି ଚିଖଲଦରା ତାଲୁକାର ଡୋମା ଗାଁରେ ଥିବା ଆଦିବାସୀ ଆବାସିକ ବିଦ୍ୟାଳୟରେ ଘଟିଛି। ଏଠାରେ ପ୍ରାୟ ୮୧୦ ଜଣ ଛାତ୍ରଛାତ୍ରୀ ରହି ପାଠ ପଢ଼ନ୍ତି। ଜୁଲାଇ ୨୨ ତାରିଖରେ ଚାରିଜଣ ଛାତ୍ରୀ ହଠାତ୍ କାନ୍ଦିବା, ହସିବା ଏବଂ ଅସ୍ୱାଭାବିକ ଆଚରଣ କରିବା ଆରମ୍ଭ କରିଥିଲେ। କିଛି ଛାତ୍ରୀ ରାତିରେ ପାଉଁଜିର ଶବ୍ଦ ଶୁଣିଥିବା ମଧ୍ୟ ଦାବି କରିଥିବାରୁ ଘଟଣାକୁ ନେଇ ଗୁଜବ ଆହୁରି ବଢ଼ିଥିଲା।

ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଟିମ୍‌ର ଯାଞ୍ଚ ପରେ ଏହା ପଛରେ କୌଣସି ଅଲୌକିକ ଘଟଣା ନଥିବା କୁହାଯାଇଛି। ମାନସିକ ଚାପ, ଭୟ ଏବଂ ସାମୂହିକ ମାନସିକ ପ୍ରଭାବ ଯୋଗୁଁ ଏଭଳି ଲକ୍ଷଣ ଦେଖାଦେଇଥାଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ଥିବା ଗଛ, ମନ୍ଦିର ଏବଂ ପୂର୍ବରୁ ଘଟିଥିବା ମୃତ୍ୟୁକୁ ନେଇ ପ୍ରଚଳିତ ବିଭିନ୍ନ ଅନ୍ଧବିଶ୍ୱାସ ମଧ୍ୟ ଭୟ ବଢ଼ାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଏବେ ଛାତ୍ରୀମାନଙ୍କୁ କାଉନସେଲିଂ ଦିଆଯାଉଥିବା ବେଳେ କିଛି ଛାତ୍ରଛାତ୍ରୀ ପୁଣି ହଷ୍ଟେଲକୁ ଫେରିଥିବା ହେଡମାଷ୍ଟର ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories