ଅଯୋଧ୍ୟା ରାମ ମନ୍ଦିରରେ ପୁରୋହିତଙ୍କ ପାଇଁ ନୂଆ ଡ୍ରେସ୍ କୋଡ୍; ଏଣିକି ପିନ୍ଧିବେ ହଳଦିଆ ‘ଉତ୍ତରୀୟ’
ଉତ୍ତରପ୍ରଦେଶ: ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ପୁରୋହିତମାନଙ୍କ ପାଇଁ ନୂଆ ଡ୍ରେସ୍ କୋଡ୍ ଶୁକ୍ରବାରଠାରୁ ଲାଗୁ ହୋଇଛି। ସଂଶୋଧିତ ନିୟମ ଅନୁସାରେ, ଦୈନିକ ପୂଜା, ଆଳତି ଓ ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନରେ ସାମିଲ ହେଉଥିବା ସମସ୍ତ ପୁରୋହିତଙ୍କୁ ଏଣିକି ଅନଷ୍ଟିଚ୍ଡ୍ ବା ସିଲେଇ ହୋଇନଥିବା ହଳଦିଆ ‘ଉତ୍ତରୀୟ’ ପିନ୍ଧିବାକୁ ପଡ଼ିବ। ମନ୍ଦିରର ଦ୍ୱିତୀୟ ପର୍ଯ୍ୟାୟର ନିତ୍ୟକର୍ମଠାରୁ ଏହି ନୂଆ ନିୟମ କାର୍ଯ୍ୟକାରୀ ହୋଇଛି।
ନୂଆ ଡ୍ରେସ୍ କୋଡ୍ ଲାଗୁ ହେବା ପରେ ପୂଜା ସମୟରେ ପୁରୋହିତମାନଙ୍କ ପୋଷାକରେ ଅଧିକ ସମାନତା ଦେଖିବାକୁ ମିଳିଛି। ମନ୍ଦିର କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ଧାର୍ମିକ ଅନୁଷ୍ଠାନକୁ ଅଧିକ ଶୃଙ୍ଖଳିତ, ମର୍ଯ୍ୟାଦାପୂର୍ଣ୍ଣ ଓ ପାରମ୍ପରିକ ରୂପ ଦେବା ଏହି ନିଷ୍ପତ୍ତିର ମୁଖ୍ୟ ଉଦ୍ଦେଶ୍ୟ। ମନ୍ଦିରରେ ପାଳନ କରାଯାଉଥିବା ବୈଷ୍ଣବ ପରମ୍ପରା ଏବଂ ରାମାନନ୍ଦାଚାର୍ଯ୍ୟ ପରମ୍ପରା ସହିତ ଏହି ନିୟମକୁ ସମନ୍ୱୟ କରାଯାଇଛି।
ମନ୍ଦିରରେ ପ୍ରତିଦିନ ବିଭିନ୍ନ ପୂଜା, ଆଳତି ଓ ଧାର୍ମିକ ବିଧି ଅନୁଷ୍ଠିତ ହୋଇଥାଏ। ଏଭଳି ସମସ୍ତ ଧାର୍ମିକ କାର୍ଯ୍ୟକ୍ରମରେ ପୁରୋହିତମାନଙ୍କ ପାଇଁ ଏକ ସମାନ ପୋଷାକ ବ୍ୟବସ୍ଥା କରାଯିବା ଦ୍ୱାରା ମନ୍ଦିରର ଧାର୍ମିକ ପରିବେଶ ଓ ପାରମ୍ପରିକ ପରିଚୟ ଆହୁରି ସୁଦୃଢ଼ ହେବ ବୋଲି କର୍ତ୍ତୃପକ୍ଷ ଆଶା ପ୍ରକାଶ କରିଛନ୍ତି।

