Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆସାମ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ! ୧ କୋଟି ଟଙ୍କା ପାଇଁ ଜୀବନ ନେବାକୁ ଅଫର୍‌ ଦେଇଥିବା ଅଭିଯୋଗରେ ଟେଲର ଗିରଫ

ଆସାମ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ ସୋସିଆଲ ମିଡିଆରେ ହତ୍ୟା ଧମକ ଦେବା ଅଭିଯୋଗରେ ମୋରିଗାଁ ଜିଲ୍ଲାରୁ ଜଣେ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି। ଶୁକ୍ରବାର ସ୍ୱାଧୀନତା ଦିବସ ଅବସରରେ ଗୁଆହାଟୀର ଖାନାପାରାଠାରେ ମୁଖ୍ୟମନ୍ତ୍ରୀଙ୍କ ଭାଷଣର ଲାଇଭ୍ ପ୍ରସାରଣ ସମୟରେ ଏକ ସୋସିଆଲ ମିଡିଆ କମେଣ୍ଟରେ ଏହି ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ମୁଖ୍ୟ ଅଭିଯୁକ୍ତ ଭାବେ ଅବଦୁଲ ମୁତାଲେବଙ୍କୁ ଚିହ୍ନଟ କରାଯାଇଛି। ପେସାରେ ସେ ଜଣେ ଟେଲର। ଏହି ଘଟଣାରେ ପୁଲିସ ତାଙ୍କ ବାପା, ଭାଇ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଅଟକ ରଖି ପଚରାଉଚରା କରିଛି।

ପୁଲିସ ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କୁ ଧମକ ଦେବା ସମୟରେ ବ୍ୟବହୃତ ମୋବାଇଲ ନମ୍ବରକୁ ଯାଞ୍ଚ କରିବା ପରେ ତଦନ୍ତକାରୀମାନେ ମୁତାଲେବଙ୍କ ପାଖରେ ପହଞ୍ଚିଥିଲେ। ଉକ୍ତ ନମ୍ବରଟି ତାଙ୍କ ନାଁରେ ପଞ୍ଜୀକୃତ ଥିବା ଜଣାପଡ଼ିଥିଲା। ଅଭିଯୋଗ ଅନୁଯାୟୀ, ‘ଅବଦୁଲ ମୁତାଲେବ’ ନାମରେ ଥିବା ସୋସିଆଲ ମିଡିଆ ଆକାଉଣ୍ଟରୁ ମୁଖ୍ୟମନ୍ତ୍ରୀଙ୍କୁ ୧ କୋଟି ଟଙ୍କା ବଦଳରେ ହତ୍ୟା କରିବାକୁ ଧମକ ଦିଆଯାଇଥିଲା। ଏହାସହ ଟଙ୍କା ଦେବାକୁ ଇଚ୍ଛୁକ ବ୍ୟକ୍ତିଙ୍କୁ ଯୋଗାଯୋଗ କରିବାକୁ କୁହାଯାଇଥିବା ଅଭିଯୋଗ ହୋଇଛି। କମେଣ୍ଟରେ ପାକିସ୍ତାନ ସମର୍ଥନରେ କିଛି ଆପତ୍ତିଜନକ ନାରା ମଧ୍ୟ ଥିବା ପୁଲିସ କହିଛି। ଘଟଣା ସାମ୍ନାକୁ ଆସିବା ପରେ ଭୁରାଗାଁ ପୁଲିସ ସୋସିଆଲ ମିଡିଆ ଆକାଉଣ୍ଟ ଓ ମୋବାଇଲ ନମ୍ବର ସହ ଜଡ଼ିତ ତଥ୍ୟ ଯାଞ୍ଚ ଆରମ୍ଭ କରିଥିଲା।

ମୁତାଲେବଙ୍କୁ ଗିରଫ କରିବା ପରେ ପୁଲିସ ଏବେ ତାଙ୍କୁ ପଚରାଉଚରା କରିବା ସହ ଧମକ ଦିଆଯାଇଥିବା ଆକାଉଣ୍ଟଟି ପ୍ରକୃତରେ ସେ ନିଜେ ପରିଚାଳନା କରୁଥିଲେ କି ନାହିଁ, ତାହା ଯାଞ୍ଚ କରୁଛି। ଏହାସହ ଘଟଣା ପଛରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ମଧ୍ୟ ତଦନ୍ତ ଚାଲିଛି। ରାତିରେ ମୁଖ୍ୟ ଅଭିଯୁକ୍ତଙ୍କ ପରିବାରର ଦୁଇଜଣଙ୍କ ସମେତ ଆଉ ଜଣଙ୍କୁ ପୁଲିସ ଅଟକ ରଖିଥିବା ସୂଚନା ମିଳିଛି। ସମସ୍ତଙ୍କୁ ପଚରାଉଚରା କରାଯାଉଛି। ଘଟଣା ସମୟରେ ହିମନ୍ତ ବିଶ୍ୱ ଶର୍ମା ଖାନାପାରା ଭେଟେରିନାରୀ ଓ ଏଗ୍ରିକଲଚର ଫିଲ୍ଡରେ ସ୍ୱାଧୀନତା ଦିବସ ଭାଷଣ ଦେଉଥିଲେ। ପୁଲିସ ଡିଜିଟାଲ ପ୍ରମାଣ, ସୋସିଆଲ ମିଡିଆ ଆକାଉଣ୍ଟ ଓ ଅନ୍ୟାନ୍ୟ ତଥ୍ୟ ଯାଞ୍ଚ କରି ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆଣିବାକୁ ତଦନ୍ତ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories