ବ୍ୟବସାୟୀ ଅପହରଣ ମାମଲାରେ ନୂଆ ମୋଡ଼, ମହିଳା ଏସ୍ଆଇ ଅଟକ; ମାଷ୍ଟରମାଇଣ୍ଡଙ୍କ ଭଉଣୀଙ୍କ ଭୂମିକାକୁ ନେଇ ତଦନ୍ତ
ବଲାଙ୍ଗିର: ବଲାଙ୍ଗିରର ଚର୍ଚ୍ଚିତ ବ୍ୟବସାୟୀ ନରେନ୍ଦ୍ର ସାହୁ ଅପହରଣ ମାମଲାରେ ରୋଚକ ମୋଡ ସାମ୍ନାକୁ ଆସିଛି। ଘଟଣାରେ ପୁଲିସର ସମ୍ପୃକ୍ତି ନେଇ ତଦନ୍ତ ଆଗକୁ ବଢ଼ୁଥିବା ବେଳେ ମହିଳା ଏସ୍ଆଇ ସ୍ନେହାମଞ୍ଜରୀ ସାହୁଙ୍କୁ ଅଟକ ରଖିଛି ବଲାଙ୍ଗିର ପୁଲିସ। ପୁଲିସ ସୂଚନା ଅନୁସାରେ, ସ୍ନେହାମଞ୍ଜରୀ ଏହି ମାମଲାର ମାଷ୍ଟରମାଇଣ୍ଡ କୁହାଯାଉଥିବା କ୍ଷିତୀଶ ସାହୁଙ୍କ ଭଉଣୀ। ତାଙ୍କ ସହ ସଞ୍ଜୟ ଜେନାଙ୍କୁ ମଧ୍ୟ ଅଟକ ରଖାଯାଇଥିବା ଜଣାପଡ଼ିଛି। ପୂର୍ବରୁ ପୁଲିସ କ୍ଷିତୀଶ ସାହୁଙ୍କୁ ଗିରଫ କରିସାରିଛି।
ପ୍ରାଥମିକ ତଦନ୍ତରୁ ନରେନ୍ଦ୍ର ସାହୁଙ୍କ ଅପହରଣ ପଛରେ ହନୁମାନ ଟଙ୍କା ସମ୍ପର୍କିତ ବଡ଼ ଧରଣର ଟଙ୍କା କାରବାର ଥିବା ସନ୍ଦେହ କରାଯାଉଛି। ନରେନ୍ଦ୍ରଙ୍କୁ ଗତ ୧୪ ତାରିଖ ଅପରାହ୍ଣରେ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ପରେ ଭୁବନେଶ୍ୱର ସ୍ପେଶାଲ ସ୍କ୍ବାଡ୍ର ସହଯୋଗରେ ଖଣ୍ଡଗିରି ଅଞ୍ଚଳରୁ ତାଙ୍କୁ ପୁଲିସ ଉଦ୍ଧାର କରିଥିଲା। ମାମଲାରେ ଆଉ କିଛି ବ୍ୟକ୍ତିଙ୍କୁ ମଧ୍ୟ ପୁଲିସ ଅଟକ ରଖି ପଚରାଉଚରା କରୁଛି।
ଏହି ମାମଲାରେ ଗିରଫ ହୋଇଥିବା କ୍ଷିତୀଶ ସାହୁ ଏବଂ ତାଙ୍କ ସହଯୋଗୀ ସଞ୍ଜିତ ବେହେରାଙ୍କୁ ଆଜି କୋର୍ଟ ଚାଲାଣ କରାଯିବା ସୂଚନା ମିଳିଛି। ଅନ୍ୟପକ୍ଷରେ, ମହିଳା ଏସ୍ଆଇ ଏବଂ ଅନ୍ୟ ଅଟକ ବ୍ୟକ୍ତିମାନଙ୍କ ଭୂମିକାକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି। ଅପହରଣର ଯୋଜନା, ନରେନ୍ଦ୍ରଙ୍କୁ ଭୁବନେଶ୍ୱର ଆଣିବା ଏବଂ ଘଟଣା ପଛରେ ଟଙ୍କା କାରବାରର ସମ୍ପୂର୍ଣ୍ଣ ଚିତ୍ର ଜାଣିବା ପାଇଁ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ କରୁଛି।

