ଆକାଶଛୁଆଁ ବିମାନ ଭଡ଼ାକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ: ନିୟମ ନମାନିଲେ ବନ୍ଦ ହୋଇପାରେ ଉଡ଼ାଣ
ନୂଆଦିଲ୍ଲୀ: ପର୍ବପର୍ବାଣୀ ଓ ଛୁଟି ସମୟରେ ବିମାନ ଭଡ଼ାର ଅସ୍ୱାଭାବିକ ବୃଦ୍ଧିକୁ ନେଇ ସୁପ୍ରିମକୋର୍ଟ ସୋମବାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏୟାରଲାଇନ୍ସଗୁଡ଼ିକ ନିୟାମକ ନିୟମ ପାଳନ ନକଲେ ସେମାନଙ୍କ ଉଡ଼ାଣ ବନ୍ଦ କରାଯାଇପାରେ ବୋଲି ଜଷ୍ଟିସ୍ ବିକ୍ରମ ନାଥ ଓ ଜଷ୍ଟିସ୍ ସନ୍ଦୀପ ମେହତାଙ୍କ ଖଣ୍ଡପୀଠ ଚେତାବନୀ ଦେଇଛନ୍ତି। ଘରୋଇ ଏୟାରଲାଇନ୍ସଗୁଡ଼ିକ ମନଇଚ୍ଛା ବିମାନ ଭଡ଼ା ଧାର୍ଯ୍ୟ କରୁଥିବା ଅଭିଯୋଗରେ ସାମାଜିକ କର୍ମୀ ଏସ୍. ଲକ୍ଷ୍ମୀ ନାରାୟଣନଙ୍କ ପକ୍ଷରୁ ଦାଏର ଆବେଦନର ଶୁଣାଣି ସମୟରେ କୋର୍ଟ ଏହି ଟିପ୍ପଣୀ ଦେଇଛନ୍ତି।
ଶୁଣାଣି ସମୟରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ଯେ ବିମାନ ଭଡ଼ା ନିୟନ୍ତ୍ରଣ ପାଇଁ ଏକ ନୂଆ ନିୟାମକ ବ୍ୟବସ୍ଥା ପ୍ରସ୍ତୁତିର ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ରହିଛି। ଆସନ୍ତା ୩ ସପ୍ତାହ ମଧ୍ୟରେ ନିୟମ ପ୍ରସ୍ତୁତ କରି କୋର୍ଟରେ ଦାଖଲ କରାଯିବ ବୋଲି ଅତିରିକ୍ତ ସଲିସିଟର ଜେନେରାଲ ଅନିଲ କୌଶିକ କହିଛନ୍ତି। କେନ୍ଦ୍ର ପକ୍ଷରୁ ପ୍ରସ୍ତାବିତ ନିୟମର ଏକ ଡ୍ରାଫ୍ଟ ମଧ୍ୟ ସିଲ୍ କଭରରେ କୋର୍ଟଙ୍କୁ ଦିଆଯାଇଛି। ଆବେଦନକାରୀଙ୍କ ଅଭିଯୋଗ ହେଉଛି, ପର୍ବପର୍ବାଣୀ ଓ ଛୁଟି ସମୟରେ ଯାତ୍ରୀଙ୍କଠାରୁ ଏୟାରଲାଇନ୍ସ ଅତ୍ୟଧିକ ଭଡ଼ା ଆଦାୟ କରୁଛନ୍ତି।
କୋର୍ଟ ପୂର୍ବରୁ ମଧ୍ୟ ବିମାନ ଭଡ଼ାରେ ଯୁକ୍ତିସଙ୍ଗତତା ଆଣିବା ଆବଶ୍ୟକ ବୋଲି ମତ ଦେଇଥିଲେ। ସମାନ ରୁଟ୍ରେ ଏକା ଦିନରେ ଭିନ୍ନ ଯାତ୍ରୀଙ୍କଠାରୁ ଭିନ୍ନ ଭିନ୍ନ ଭଡ଼ା ଆଦାୟ କରାଯାଉଥିବା ପ୍ରସଙ୍ଗ ମଧ୍ୟ ଉଠିଥିଲା। ବିମାନ ଭଡ଼ା ନିର୍ଦ୍ଧାରଣ ପାଇଁ ସ୍ପଷ୍ଟ ନିୟମ ଓ ଏକ ସ୍ୱତନ୍ତ୍ର ନିୟାମକ ବ୍ୟବସ୍ଥା ଦାବି କରାଯାଇଛି। କେନ୍ଦ୍ରକୁ ୩ ସପ୍ତାହ ସମୟ ଦେଇଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୭ରେ ହେବ।

