ବାହାର ଲୋକଙ୍କୁ ସ୍କୁଲ ପରିସରକୁ ପଶିବା ମନା: CJP ସ୍କୁଲ ଯାଞ୍ଚ ଗସ୍ତ ଘୋଷଣା ପରେ ରାଜସ୍ଥାନ ସରକାରଙ୍କ ବଡ଼ ନିର୍ଦ୍ଦେଶ
ରାଜସ୍ଥାନ: ରାଜସ୍ଥାନର ସରକାରୀ ସ୍କୁଲଗୁଡ଼ିକରେ ବାହାର ଲୋକଙ୍କ ପ୍ରବେଶ ଏବଂ ଫଟୋ-ଭିଡିଓ ରେକର୍ଡିଂକୁ ନେଇ ସରକାର ନୂଆ କଟକଣା ଜାରି କରିଛନ୍ତି। ସ୍କୁଲରେ ପ୍ରବେଶ ପାଇଁ ଏଣିକି ପ୍ରଧାନଶିକ୍ଷକ କିମ୍ବା ସଂସ୍ଥା ମୁଖ୍ୟଙ୍କ ପୂର୍ବ ଅନୁମତି ଆବଶ୍ୟକ ହେବ। ସେହିପରି ଛାତ୍ରଛାତ୍ରୀ, ଶିକ୍ଷକ କିମ୍ବା ସ୍କୁଲର କାର୍ଯ୍ୟକଳାପର ଫଟୋ, ଭିଡିଓ, ଅଡିଓ ରେକର୍ଡିଂ, ସାକ୍ଷାତକାର କିମ୍ବା ଲାଇଭ୍ ଷ୍ଟ୍ରିମିଂ ପାଇଁ ମଧ୍ୟ ଲିଖିତ ଅନୁମତି ନେବାକୁ ପଡ଼ିବ।
ଏହି ନିର୍ଦ୍ଦେଶ ସେତେବେଳେ ଆସିଛି, ଯେତେବେଳେ କକ୍ରୋଚ୍ ଜନତା ପାର୍ଟି (CJP) ପକ୍ଷରୁ ରାଜସ୍ଥାନର ବିଭିନ୍ନ ସରକାରୀ ସ୍କୁଲର ଅବ୍ୟବସ୍ଥା ଯାଞ୍ଚ କରିବାକୁ ନିରୀକ୍ଷଣ ଅଭିଯାନ ଘୋଷଣା କରାଯାଇଥିଲା। CJPର ସହ-ଆବାହକ ଆଶୁତୋଷ ରାଙ୍କା କହିଥିଲେ ଯେ ଜୟପୁର, ଅଜମେର, ଯୋଧପୁର, ଉଦୟପୁର, ଧୌଲପୁର, ଭରତପୁର, କୋଟା, ବାଡମେର ଓ ହନୁମାନଗଡ଼ ସମେତ ବିଭିନ୍ନ ଜିଲ୍ଲାରୁ ସ୍କୁଲର ଦୁରବସ୍ଥା ନେଇ ଅଭିଯୋଗ ଆସିଛି। ଏହାପରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଲଲିତ କୁମାର ଏକ ସର୍କୁଲାର ଜାରି କରି ଛାତ୍ରଛାତ୍ରୀଙ୍କ ସୁରକ୍ଷା, ଗୋପନୀୟତା ଓ ମର୍ଯ୍ୟାଦାକୁ ଦୃଷ୍ଟିରେ ରଖି ନୂଆ ନିୟମ ଲାଗୁ କରିଛନ୍ତି। ସରକାରୀ ଅଧିକାରୀଙ୍କ ଅଧିକୃତ ଗସ୍ତକୁ ଏହି କଟକଣାରୁ ବାଦ ଦିଆଯାଇଛି।
ନୂଆ ନିୟମ ଅନୁସାରେ, ସ୍କୁଲକୁ ଆସୁଥିବା ପ୍ରତ୍ୟେକ ବାହ୍ୟ ବ୍ୟକ୍ତିଙ୍କୁ ଭିଜିଟର ରେଜିଷ୍ଟରରେ ନାମ ଲେଖିବାକୁ ପଡ଼ିବ। ବିନା ଅନୁମତିରେ କେହି ପ୍ରବେଶ କଲେ, ବାହାରିବାକୁ ମନା କଲେ କିମ୍ବା ଅନଧିକୃତ ଭାବେ ରେକର୍ଡିଂ କଲେ ପୁଲିସ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜଣାଇ ଆଇନଗତ ପଦକ୍ଷେପ ନିଆଯାଇପାରିବ। ତେବେ ଏହି ନିଷ୍ପତ୍ତିକୁ ନେଇ ବିରୋଧୀ କଂଗ୍ରେସ ସମାଲୋଚନା କରିଛି। ରାଜସ୍ଥାନ ବିଧାନସଭାର ବିରୋଧୀ ଦଳ ନେତା ଟିକାରାମ ଜୁଲି କହିଛନ୍ତି, ସ୍କୁଲର ଭଙ୍ଗା ଛାତ, ଶିକ୍ଷକ ଅଭାବ ଓ ମୌଳିକ ସୁବିଧାର ଅଭାବ ଦୂର କରିବା ବଦଳରେ ସରକାର ଏସବୁ ସମସ୍ୟାକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି। ସେ ନିର୍ଦ୍ଦେଶ ପ୍ରତ୍ୟାହାର ନହେଲେ ‘ସିଭିଲ୍ ଡିସଓବିଡିଏନ୍ସ’ ଆନ୍ଦୋଳନର ଚେତାବନୀ ଦେଇଛନ୍ତି।

