ତ୍ୱିଷା ଶର୍ମା ମୃତ୍ୟୁ ମାମଲା: CBI ଦାଖଲ କଲା ୬୩୬ ପୃଷ୍ଠାର ଚାର୍ଜସିଟ୍! ସ୍ୱାମୀ ଓ ଶାଶୁଙ୍କ ବିରୋଧରେ ଯୌତୁକ ନିର୍ଯାତନା ଓ ଆତ୍ମହତ୍ୟା ପାଇଁ ଉସକାଇବା ଅଭିଯୋଗ
ଭୋପାଳ: ତ୍ୱିଷା ଶର୍ମା ମୃତ୍ୟୁ ମାମଲାରେ ବଡ଼ ପଦକ୍ଷେପ ନେଇଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI)। ପୂର୍ବତନ ବିଚାରପତି ଗିରିବାଳା ସିଂହ ଏବଂ ତାଙ୍କ ପୁଅ ତଥା ଆଇନଜୀବୀ ସମର୍ଥ ସିଂହଙ୍କ ବିରୋଧରେ CBI ୬୩୬ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି। ତ୍ୱିଷାଙ୍କ ପରିବାର ପକ୍ଷରୁ ମାନସିକ ଓ ଶାରୀରିକ ନିର୍ଯାତନା ସହ ଯୌତୁକ ନିର୍ଯାତନାର ଅଭିଯୋଗ ହୋଇଥିଲା। ବିବାହର ମାତ୍ର ୫ ମାସ ପରେ, ମେ’ ୧୨ ତାରିଖରେ ଭୋପାଳସ୍ଥିତ ଶାଶୁଘରେ ୩୩ ବର୍ଷୀୟା ତ୍ୱିଷାଙ୍କ ମୃତଦେହ ମିଳିଥିଲା।
CBI ଚାର୍ଜସିଟ୍ରେ ଯୌତୁକଜନିତ ମୃତ୍ୟୁ, ବିବାହିତ ମହିଳାଙ୍କ ପ୍ରତି ନିଷ୍ଠୁରତା, ଆତ୍ମହତ୍ୟା ପାଇଁ ଉସକାଇବା ଏବଂ ସାଧାରଣ ଅପରାଧିକ ଉଦ୍ଦେଶ୍ୟରେ କରାଯାଇଥିବା କାର୍ଯ୍ୟ ସମ୍ପର୍କିତ ଧାରା ଲାଗୁ କରାଯାଇଛି। ତଦନ୍ତ ସମୟରେ ତ୍ୱିଷାଙ୍କ ମୃତଦେହରେ ୬ଟି ଆଘାତ ଚିହ୍ନ ଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଥିଲା। ପରେ ପରିବାରର ଦାବି ଅନୁସାରେ ଦ୍ୱିତୀୟ ଥର ପୋଷ୍ଟମର୍ଟମ ମଧ୍ୟ କରାଯାଇଥିଲା। ତଦନ୍ତରେ ଏକ ଜିମ୍ନାଷ୍ଟିକ୍ସ ବେଲ୍ଟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ପାଲଟିଥିଲା। ଘଟଣା ସମୟରେ ଅଭିଯୁକ୍ତମାନେ ଦେଇଥିବା ବୟାନ ଓ ଘଟଣାକ୍ରମ ବାସ୍ତବରେ ସମ୍ଭବ କି ନାହିଁ, ତାହା ଯାଞ୍ଚ ପାଇଁ CBI ଶାଶୁଘରେ କ୍ରାଇମ୍ ସିନ୍ ରିକ୍ରିଏଟ୍ ମଧ୍ୟ କରିଥିଲା।
ପ୍ରଥମେ ତ୍ୱିଷାଙ୍କ ମୃତ୍ୟୁର ତିନି ଦିନ ପରେ ମାମଲା ରୁଜୁ ହୋଇଥିଲା। ତଦନ୍ତ ପରେ ସୁପ୍ରିମକୋର୍ଟ ମାମଲାକୁ ସ୍ୱତଃସଜ୍ଞାନକୁ ନେଇ ନିରପେକ୍ଷ ଓ ନିଷ୍ପକ୍ଷ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ ପରେ CBI ତଦନ୍ତ ଦାୟିତ୍ୱ ନେଇଥିଲା। ସମର୍ଥ ସିଂହଙ୍କ ମୋବାଇଲ୍ ବ୍ୟବହାର, ଡିଜିଟାଲ୍ ଯୋଗାଯୋଗ ଓ ମୃତ୍ୟୁ ପୂର୍ବ ଓ ପରବର୍ତ୍ତୀ ଘଟଣାକ୍ରମକୁ ମଧ୍ୟ ଯାଞ୍ଚ କରାଯାଇଥିଲା। ଏବେ CBI ଚାର୍ଜସିଟ୍ରେ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୧୦୮ ଅନୁଯାୟୀ ଆତ୍ମହତ୍ୟା ପାଇଁ ଉସକାଇବାର ଅଭିଯୋଗ ମଧ୍ୟ ସାମିଲ କରିଛି।

