ବ୍ୟବସାୟୀ ନରେନ୍ଦ୍ର ଅପହରଣ ମାମଲା; ଫୋନ୍ ଟ୍ରାକ୍ ଓ ହ୍ୱାଟ୍ସଆପ୍ ଚାଟ୍ ରୁ ଖୋଲିଲା SI-ସାମ୍ବାଦିକଙ୍କ ସତ !
ବଲାଙ୍ଗିର: ବଲାଙ୍ଗିରର ବହୁଚର୍ଚ୍ଚିତ ବ୍ୟବସାୟୀ ନରେନ୍ଦ୍ର ସାହୁ ଅପହରଣ ମାମଲାରେ ତଦନ୍ତ ଆଗକୁ ବଢ଼ିବା ସହ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଫୋନ୍ ଟ୍ରାକିଂ ଓ ହ୍ୱାଟ୍ସଆପ୍ ଚାଟ୍ ଯାଞ୍ଚ ପରେ ପୋଲିସ ମହିଳା ସବ୍-ଇନ୍ସପେକ୍ଟର ସ୍ନେହା ମଞ୍ଜରୀ ସାହୁ ଏବଂ ସାମ୍ବାଦିକ ସଞ୍ଜୟ ଜେନାଙ୍କୁ ଗିରଫ କରିଛି। ସ୍ନେହା ମଞ୍ଜରୀ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା କ୍ଷୀତିଶ ସାହୁଙ୍କ ଭଉଣୀ ବୋଲି ପୋଲିସ ସୂଚନା ଦେଇଛି। ଅନ୍ୟପକ୍ଷରେ, ସଞ୍ଜୟ ନିଜକୁ ପୋଲିସ ଅଧିକାରୀ ଭାବେ ପରିଚୟ ଦେଇ ନରେନ୍ଦ୍ରଙ୍କଠାରୁ ଦସ୍ତଖତ ନେବା ଏବଂ ବୟାନ ରେକର୍ଡ କରିବା ଭଳି କାର୍ଯ୍ୟ କରିଥିବା ଅଭିଯୋଗ ହୋଇଛି।
ପୋଲିସ ତଦନ୍ତ ଅନୁସାରେ, ନରେନ୍ଦ୍ରଙ୍କୁ ଅପହରଣ କରିବା ପରେ ଘଟଣାକୁ ଅନ୍ୟ ରୂପ ଦେବା ପାଇଁ ଏକ ଯୋଜନା କରାଯାଇଥିଲା। ଅଭିଯୋଗ ଅନୁଯାୟୀ, ତାଙ୍କ ହାତରେ ବନ୍ଧୁକ ରଖି ଏକ ଭିଡିଓ ମଧ୍ୟ ପ୍ରସ୍ତୁତ କରାଯାଇଥିଲା। ଏହାଛଡ଼ା ଅଗଷ୍ଟ ୧୫ରେ ଖଣ୍ଡଗିରି ଥାନାରେ ନରେନ୍ଦ୍ରଙ୍କ ନାମରେ ଏକ ଅଭିଯୋଗ ଦାଖଲ କରାଯାଇଥିବା ଏବଂ ସେଠାରେ ଏକ ଚୁକ୍ତିପତ୍ର କରାଯାଇଥିବା ନେଇ ପୋଲିସ ତଥ୍ୟ ପାଇଛି। ପୋଲିସ ଏହି ଦସ୍ତାବିଜକୁ ମଧ୍ୟ ଜବତ କରିଛି। ତଦନ୍ତକାରୀ ଅଧିକାରୀମାନେ ଫୋନ୍ ରେକର୍ଡ, ହ୍ୱାଟ୍ସଆପ୍ ଚାଟ୍ ଏବଂ ଅନ୍ୟାନ୍ୟ ଡିଜିଟାଲ୍ ପ୍ରମାଣ ଯାଞ୍ଚ କରି ଅଭିଯୁକ୍ତମାନଙ୍କ ମଧ୍ୟରେ ଯୋଗାଯୋଗ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି।
ଏହି ମାମଲାରେ ସ୍ନେହା ମଞ୍ଜରୀଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଅଭିଯୋଗ ରହିଥିବା ପୋଲିସ ସୂଚନାରୁ ଜଣାପଡ଼ିଛି। ନୟାପଲ୍ଲୀ ଥାନାରେ ଜଣେ ସୁବେଦାରଙ୍କ ପତ୍ନୀ ତାଙ୍କ ବିରୋଧରେ ଅଭିଯୋଗ କରିଥିବା ବେଳେ ପରେ ବାଲିଅନ୍ତା ଥାନାରେ ମଧ୍ୟ ମାମଲା ରୁଜୁ ହୋଇଥିବା ଦାବି କରାଯାଇଛି। ବର୍ତ୍ତମାନ ନରେନ୍ଦ୍ର ଅପହରଣ ମାମଲାରେ କ୍ଷୀତିଶ ସାହୁ, ସ୍ନେହା ମଞ୍ଜରୀ ସାହୁ ଏବଂ ସଞ୍ଜୟ ଜେନାଙ୍କ ଭୂମିକା ନେଇ ପୋଲିସ ତଦନ୍ତ ଜାରି ରଖିଛି। ମାମଲାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ଏବଂ ଅପହରଣ ପଛର ପୂରା ଷଡ଼ଯନ୍ତ୍ର କ’ଣ ଥିଲା, ସେନେଇ ଡିଜିଟାଲ୍ ପ୍ରମାଣ ଓ ଅନ୍ୟ ତଥ୍ୟ ଆଧାରରେ ଖୋଳତାଡ଼ ଚାଲିଛି।

