Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଙ୍ଗୋପସାଗରରେ ଅବପାତରେ ପରିଣତ ଲଘୁଚାପ! ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା, ଏହି ସବୁ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହେବା ପରେ ଓଡ଼ିଶାରେ ବଢ଼ିଛି ବର୍ଷା ଆଶଙ୍କା। ଅବପାତଟି ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ସହ ଆଗାମୀ ୨୪ ଘଣ୍ଟାରେ ଗାଙ୍ଗେଟିକ୍ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାର ଆଡ଼କୁ ଅଗ୍ରସର ହେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି।

ବର୍ଷାକୁ ନେଇ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି ହୋଇଛି। ସେହିପରି ବାଲେଶ୍ୱର, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ରହିଛି। ଅନ୍ୟପକ୍ଷରେ ବରଗଡ଼, ସୋନପୁର, ବୌଦ୍ଧ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାକୁ ହଳଦିଆ ଚେତାବନୀ ଦିଆଯାଇଛି। ମଙ୍ଗଳବାର ମଧ୍ୟ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ରେ ପ୍ରବଳ ବର୍ଷା ସହ ଅରେଞ୍ଜ ଆଲର୍ଟ ଏବଂ ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଦେବଗଡ଼ ଓ କେନ୍ଦୁଝରରେ ବିଜୁଳି-ଘଡ଼ଘଡ଼ି ସହ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି।

ଅବପାତର ପ୍ରଭାବରେ ରାଜ୍ୟରେ ୨୨ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବା ସମ୍ଭାବନା ରହିଛି। ଉପକୂଳ ଓଡ଼ିଶାରେ ପାଗ ମେଘୁଆ ରହିବା ସହ ସମୁଦ୍ର ଅଶାନ୍ତ ରହିପାରେ। ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ଏବଂ ଝଟକାରେ ସର୍ବାଧିକ ୬୫ କିଲୋମିଟର ବେଗରେ ପବନ ବହିବା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ମଙ୍ଗଳବାର ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories