ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି; ଆୟ ବର୍ହିଭୂତ ସମ୍ପତ୍ତି ମାମଲାରେ ହାଇକୋର୍ଟ ଶୁଣାଣି ଉପରେ ଲାଗିଲା ରୋକ୍
ନୂଆଦିଲ୍ଲୀ: ଆୟ ବର୍ହିଭୂତ ସମ୍ପତ୍ତି ଅଭିଯୋଗ ମାମଲାରେ କଂଗ୍ରେସ ସାଂସଦ ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟରୁ ମଧ୍ୟବର୍ତ୍ତୀକାଳୀନ ଆଶ୍ୱସ୍ତି ମିଳିଛି। ସୋମବାର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ୍ ଭି. ମୋହନାଙ୍କ ଖଣ୍ଡପୀଠ ରାହୁଲଙ୍କ ଆବେଦନ ଉପରେ ନୋଟିସ୍ ଜାରି କରିଛନ୍ତି। ଏହାସହ ଆହ୍ଲାବାଦ ହାଇକୋର୍ଟରେ ଚାଲିଥିବା ପ୍ରକ୍ରିୟାକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଆଗକୁ ନବଢ଼ାଇବାକୁ କହିଛନ୍ତି ।
ସୁପ୍ରିମକୋର୍ଟ CBI, ED କିମ୍ବା ଅନ୍ୟ କୌଣସି ଏଜେନ୍ସିକୁ ଏହି ମାମଲାରେ ହାଇକୋର୍ଟରେ କୌଣସି ରିପୋର୍ଟ ଦାଖଲ ନକରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟରେ ଅଗଷ୍ଟ ୨୦ରେ ହେବାକୁ ଥିବା ପରବର୍ତ୍ତୀ ଶୁଣାଣିକୁ ମଧ୍ୟ ସ୍ଥଗିତ ରଖାଯାଇଛି। ଏହି ମାମଲା ରାହୁଲଙ୍କ ବିରୋଧରେ ଆୟ ତୁଳନାରେ ଅଧିକ ସମ୍ପତ୍ତି ଥିବା ଅଭିଯୋଗକୁ ନେଇ ଚାଲିଥିଲା।
ଏହି ଅଭିଯୋଗ କର୍ଣ୍ଣାଟକର ବିଜେପି କର୍ମୀ ଏସ୍. ଭିଗ୍ନେଶ ଶିଶିରଙ୍କ ପକ୍ଷରୁ କରାଯାଇଥିଲା। ପୂର୍ବରୁ ଆହ୍ଲାବାଦ ହାଇକୋର୍ଟ CBIକୁ ଅଭିଯୋଗଗୁଡ଼ିକର ଯାଞ୍ଚ କରିବା ସହ ତଦନ୍ତର ଅଗ୍ରଗତି ସମ୍ପର୍କରେ ଅଦାଲତକୁ ଜଣାଇବାକୁ କହିଥିଲେ। ଏବେ ସୁପ୍ରିମକୋର୍ଟର ହସ୍ତକ୍ଷେପ ପରେ ହାଇକୋର୍ଟର ପ୍ରକ୍ରିୟା ଓ ଏଜେନ୍ସିଗୁଡ଼ିକର ରିପୋର୍ଟ ଦାଖଲ ଉପରେ ଅସ୍ଥାୟୀ ରୋକ ଲାଗିଛି।

