‘ମୃତ୍ୟୁ ପୁର୍ବରୁ ଶେଷ ୯୦ ମିନିଟ୍ର ଭୟଙ୍କର କାହାଣୀ’: ସାମ୍ନାକୁ ଆସିଲା ତ୍ଵିଶାଙ୍କ ଶେଷ ଫୋନ୍ କଲ୍ ଓ ମେସେଜ୍, ଖୋଲିଲା ଅନେକ ରହସ୍ୟ
ଭୋପାଳ: ଭୋପାଳର ତ୍ଵିଶା ଶର୍ମା ମୃତ୍ୟୁ ମାମଲାରେ CBI ଦାଖଲ କରିଥିବା ୬୦୦ ପୃଷ୍ଠାର ଚାର୍ଜଶିଟ୍ରୁ ମୃତ୍ୟୁ ପୂର୍ବର ଶେଷ ୯୦ ମିନିଟ୍ର ଚିତ୍ର ସାମ୍ନାକୁ ଆସିଛି। CBI ଅନୁସାରେ, ମେ’ ୧୨ ରାତି ୯ଟା ୩୬ରେ ତ୍ବିଶା ତାଙ୍କ ଭାଉଜଙ୍କୁ WhatsApp re ଏକ ମେସେଜ୍ ପଠାଇଥିଲେ। ଏହାର କିଛି ମିନିଟ୍ ପରେ CCTVରେ ସେ ଏକାକୀ ଛାତ ଆଡ଼କୁ ଯାଉଥିବା ଦେଖାଯାଇଥିଲା। ରାତି ୯ଟା ୪୧ରେ ସେ ବାପାଙ୍କୁ ଫୋନ୍ କରି କାନ୍ଦି କାନ୍ଦି ସ୍ୱାମୀ ତାଙ୍କ ଉପରେ ଆକ୍ରମଣ କରିଥିବା କଥା କହିଥିଲେ। ପରେ ମା’ଙ୍କୁ ମଧ୍ୟ ଫୋନ୍ କରିଥିଲେ। ପ୍ରାୟ ୧୦ଟା ୨୩ରେ ସ୍ୱାମୀ ସମର୍ଥ ସିଂହ ଓ ତାଙ୍କ ମା’ ଗିରିବାଳା ସିଂହ ଛାତ ଆଡ଼କୁ ଯାଉଥିବା CCTVରେ ଦେଖାଯାଇଥିଲା। ପରେ ତ୍ଵିଶାଙ୍କୁ ହସ୍ପିଟାଲ ନିଆଯାଇଥିଲା, ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।
CBI ଚାର୍ଜଶିଟ୍ରେ ତ୍ଵିଶା ବିବାହିତ ଜୀବନକୁ ନେଇ ମଧ୍ୟ ଅନେକ ଅଭିଯୋଗ ରହିଛି। CBI ଅନୁସାରେ, ବିବାହ ପରେ ତ୍ଵିଶା ମନସିକ ନିର୍ଯାତନାର ସମ୍ମୁଖୀନ ହୋଇଥିଲେ। ତାଙ୍କ ଚରିତ୍ରକୁ ନେଇ ମଧ୍ୟ ଅଭିଯୋଗ ଓ ଅପମାନଜନକ କଥା କୁହାଯାଉଥିବା ଚାର୍ଜଶିଟ୍ରେ ଦର୍ଶାଯାଇଛି। ଏହା ସହ ତ୍ଵିଶାଙ୍କୁ ପ୍ରାୟ ୨୦ ଲକ୍ଷ ଟଙ୍କାର ନିବେଶକୁ ନେଇ ମଧ୍ୟ ଚାପ ପକାଯାଇଥିବା CBI ଅଭିଯୋଗ କରିଛି। ଏପ୍ରିଲ୍ରେ ତ୍ଵିଶା ଗର୍ଭବତୀ ଥିବା ଜାଣିବା ପରେ ବିବାଦ ଆହୁରି ବଢ଼ିଥିଲା। ମେ’ ୭ ଓ ୮ରେ ସେ ଗର୍ଭପାତ ସମ୍ପର୍କିତ ଔଷଧ ନେଇଥିବା ଚାର୍ଜଶିଟ୍ରେ ଉଲ୍ଲେଖ ରହିଛି। ଏହି ସମୟରେ ସେ ମା’ ଓ ଭାଉଜଙ୍କୁ ଅନେକ ମେସେଜ୍ କରି ନିଜ ମାନସିକ ସ୍ଥିତି ଓ ଘରର ପରିସ୍ଥିତି ବିଷୟରେ କହିଥିବା CBI କହିଛି।
ମୃତ୍ୟୁ ଦିନ ତ୍ଵିଶା ଭୋପାଳ ଛାଡ଼ି ପରିବାର ପାଖକୁ ଫେରିବା ପାଇଁ ଟ୍ରେନ୍ ଟିକେଟ୍ ମଧ୍ୟ ବୁକ୍ କରିଥିଲେ। ସେହିଦିନ ସ୍ୱାମୀଙ୍କ ସହ କାଉନସେଲିଂ ମଧ୍ୟ ହୋଇଥିଲା। କିନ୍ତୁ ରାତିରେ ପୁଣି ଘରେ ବିବାଦ ହୋଇଥିବା CBI ଚାର୍ଜଶିଟ୍ରେ ଦର୍ଶାଇଛି। ଶେଷରେ ତ୍ଵିଶାଙ୍କ ମୃତ୍ୟୁକୁ ନେଇ ଦ୍ୱିତୀୟ ପୋଷ୍ଟମର୍ଟମ୍ ମଧ୍ୟ କରାଯାଇଥିଲା। AIIMS ଦିଲ୍ଲୀର ମେଡିକାଲ ବୋର୍ଡ ମୃତ୍ୟୁର କାରଣକୁ ଫାଶି ଯୋଗୁଁ ଶ୍ୱାସରୋଧ ଏବଂ ମୃତ୍ୟୁର ପ୍ରାକୃତିକ ଆତ୍ମହତ୍ୟା ବୋଲି ଦର୍ଶାଇଥିଲା। CBIର ଅଭିଯୋଗ ହେଉଛି, ଶାରୀରିକ ହତ୍ୟା ନୁହେଁ, ବରଂ ଦୀର୍ଘଦିନର ମାନସିକ ନିର୍ଯାତନା ତ୍ଵିଶାଙ୍କୁ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ କରିଥିଲା। ଏହି ମାମଲାରେ ସ୍ୱାମୀ ସମର୍ଥ ସିଂହ ଓ ତାଙ୍କ ମା’ ଗିରିବାଳା ସିଂହଙ୍କ ବିରୋଧରେ CBI ଚାର୍ଜଶିଟ୍ ଦାଖଲ କରିଛି।

