ନଖରାର ସ୍କୁଟିରୁ ଜବତ ହେଲା ମାଂସ! ଗୋମାଂସ ଚାଲାଣ ଅଭିଯୋଗରେ ସ୍ୱାମୀ-ସ୍ତ୍ରୀଙ୍କୁ ପଚରାଉଚରା
ଭୁବନେଶ୍ୱର: ଭୁବନେଶ୍ୱର ନଖରା ଅଞ୍ଚଳରେ ସ୍କୁଟିରୁ ମାଂସ ଜବତ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସ୍କୁଟିରେ ଗୋମାଂସ ନେଇ ଯାଉଥିବା ଅଭିଯୋଗରେ ଜଣେ ସ୍ୱାମୀ-ସ୍ତ୍ରୀଙ୍କୁ ଖଣ୍ଡଗିରି ଥାନା ପୁଲିସ ଅଟକ ରଖି ପଚରାଉଚରା କରୁଛି। ଜବତ ମାଂସ କେଉଁଠାରୁ ଆସିଥିଲା ଏବଂ କେଉଁଠାକୁ ନିଆଯାଉଥିଲା, ସେନେଇ ପୁଲିସ ତଦନ୍ତ ଚଳାଇଛି।
ସୂଚନା ଅନୁସାରେ, ବରମୁଣ୍ଡା ଗାଁର ଜଣେ ଯୁବକଙ୍କ ସନ୍ଦେହ ହେବାରୁ ସେ ସ୍କୁଟିକୁ ଅଟକାଇ ଯାଞ୍ଚ କରିଥିଲେ। ଏହି ସମୟରେ ତାଙ୍କୁ ଧମକ ଦିଆଯାଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ୱାମୀ-ସ୍ତ୍ରୀଙ୍କୁ କାବୁ କରିବା ସହ ସ୍କୁଟି ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ସ୍କୁଟିରୁ ମାଂସ ଜବତ ହୋଇଥିଲା।
ଏନେଇ ରବୀନ୍ଦ୍ର ସାହୁଙ୍କ ପକ୍ଷରୁ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ ହୋଇଛି। ତେବେ ଜବତ ମାଂସ ପ୍ରକୃତରେ ଗୋମାଂସ କି ନୁହେଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ମାଂସର ନମୁନା ପରୀକ୍ଷା ପରେ ଏନେଇ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ। ଘଟଣାର ସମସ୍ତ ଦିଗକୁ ନେଇ ଖଣ୍ଡଗିରି ଥାନା ପୁଲିସ ତଦନ୍ତ ଜାରି ରଖିଛି।

