ଲାଞ୍ଜିଗଡର ପୂର୍ବତନ ବିଧାୟକ ଶିବାଜୀ ମାଝୀଙ୍କ ପରଲୋକ, ୫୫ ବର୍ଷ ବୟସରେ ଦେହାନ୍ତ
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡର ପୂର୍ବତନ ବିଧାୟକ ଶିବାଜୀ ମାଝୀଙ୍କ ପରଲୋକ ଘଟିଛି। ୫୫ ବର୍ଷ ବୟସରେ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ଦାନାରୀଗୁଡା ଗାଁରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘଦିନ ଧରି କିଡନୀଜନିତ ସମସ୍ୟାରେ ପୀଡ଼ିତ ଥିବା ଶିବାଜୀଙ୍କ ଚିକିତ୍ସା ଚାଲିଥିଲା। ତାଙ୍କ ବିୟୋଗ ଖବର ପରେ ଲାଞ୍ଜିଗଡ ସମେତ ସମଗ୍ର କଳାହାଣ୍ଡିରେ ଶୋକର ଛାୟା ଖେଳିଯାଇଛି।
ଶିବାଜୀ ମାଝୀ ୨୦୦୯ ମସିହାରେ କଂଗ୍ରେସ ଟିକେଟରେ ଲାଞ୍ଜିଗଡ ବିଧାନସଭା ଆସନରୁ ବିଜୟୀ ହୋଇ ବିଧାୟକ ହୋଇଥିଲେ। ପରେ ସେ ବିଜେଡିରେ ଯୋଗଦେଇଥିଲେ। ବିଜେଡିରେ ସାମିଲ ହେବା ପରେ ତାଙ୍କୁ କଳାହାଣ୍ଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପ୍ରଥମ ଅଧ୍ୟକ୍ଷ ଭାବେ ଦାୟିତ୍ୱ ମିଳିଥିଲା। ଜଣେ ଆଦିବାସୀ ନେତା ଭାବେ ସେ କଳାହାଣ୍ଡି ଜିଲ୍ଲାରେ ନିଜର ସ୍ୱତନ୍ତ୍ର ପରିଚୟ ଗଢ଼ିଥିଲେ।
ଶିବାଜୀ ମାଝୀଙ୍କ ବିୟୋଗରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓଙ୍କ ସମେତ ବହୁ ରାଜନେତା ଓ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ତାଙ୍କ ବିୟୋଗରେ ଜଣେ ଅଭିଜ୍ଞ ଆଦିବାସୀ ନେତାଙ୍କୁ ହରାଇଥିବା ମତ ପ୍ରକାଶ ପାଇଛି।

