ଆମେରିକା-କାନାଡା ଟାରିଫ୍ ବିବାଦରେ ନୂଆ ମୋଡ, ୫୦% ଶୁଳ୍କକୁ ୩ ଦିନ ସ୍ଥଗିତ କଲେ ଟ୍ରମ୍ପ
ନୂଆଦିଲ୍ଲୀ: ଆମେରିକା ଓ କାନାଡା ମଧ୍ୟରେ ଚାଲିଥିବା ବାଣିଜ୍ୟିକ ଟଣାଓଟରା ମଧ୍ୟରେ ବଡ଼ ନିଷ୍ପତ୍ତି ନେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। କାନାଡାରୁ ଆମଦାନି ହେଉଥିବା ସାମଗ୍ରୀ ଉପରେ ପୂର୍ବରୁ ଘୋଷିତ ୫୦ ପ୍ରତିଶତ ଶୁଳ୍କକୁ ଟ୍ରମ୍ପ ତିନି ଦିନ ପାଇଁ ସ୍ଥଗିତ ରଖିଛନ୍ତି। ଟ୍ରମ୍ପ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ’ ମାଧ୍ୟମରେ ଏନେଇ ସୂଚନା ଦେଇଛନ୍ତି। ଏହି ଶୁଳ୍କ ଆମେରିକା ସମୟ ଅନୁସାରେ ବୁଧବାର ରାତି ୧୨ଟା ୦୧ ମିନିଟ୍ରୁ ଲାଗୁ ହେବାର ଥିଲା।
ଉଭୟ ଦେଶ ମଧ୍ୟରେ ପ୍ରାୟ ଏକ ସପ୍ତାହ ଧରି ଚାଲିଥିବା ଆଲୋଚନା ପରେ ଏହି ସାମୟିକ ନିଷ୍ପତ୍ତି ଆସିଛି। ଆମେରିକା ବାଣିଜ୍ୟ ପ୍ରତିନିଧିଙ୍କ କାର୍ଯ୍ୟାଳୟ ଅନୁସାରେ, ପ୍ରସ୍ତାବିତ ଶୁଳ୍କ କାନାଡାରୁ ଆସୁଥିବା ପ୍ରାୟ ୨୦ ବିଲିୟନ ଡଲାର ମୂଲ୍ୟର ଆମେରିକୀୟ ଆମଦାନିକୁ ପ୍ରଭାବିତ କରିଥାନ୍ତା। କାନାଡାର ରପ୍ତାନିର ଏକ ବଡ଼ ଅଂଶ ଆମେରିକା ଉପରେ ନିର୍ଭରଶୀଳ ଥିବାରୁ ଏଭଳି ଶୁଳ୍କ ଲାଗୁ ହେଲେ କାନାଡାର ବାଣିଜ୍ୟ ଉପରେ ବଡ଼ ପ୍ରଭାବ ପଡ଼ିବାର ଆଶଙ୍କା ରହିଥିଲା। ଅନ୍ୟପକ୍ଷରେ, ଏହି ଶୁଳ୍କର ପ୍ରଭାବ ଆମେରିକୀୟ ବ୍ୟବସାୟ ଓ ଗ୍ରାହକଙ୍କ ଉପରେ ମଧ୍ୟ ପଡ଼ିପାରିଥାନ୍ତା।
ଏହି ମଧ୍ୟରେ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଓ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଗତ ଦୁଇ ଦିନରେ ଦୁଇଥର ଫୋନ୍ରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ଉଭୟ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କକୁ ନେଇ ଆଲୋଚନା ଜାରି ରହିଥିବାବେଳେ, ୫୦ ପ୍ରତିଶତ ଶୁଳ୍କକୁ ତିନି ଦିନ ପାଇଁ ସ୍ଥଗିତ ରଖିବାକୁ ଆଗାମୀ ଆଲୋଚନା ପାଇଁ ଏକ ସୁଯୋଗ ଭାବେ ଦେଖାଯାଉଛି।

