Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଣେରେ ୯ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ! ୨୫ ବର୍ଷୀୟ ପଡ଼ୋଶୀ ଗିରଫ

ମହାରାଷ୍ଟ୍ର: ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ଜଣେ ୯ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଘଟଣାରେ ପୁଲିସ ୨୫ ବର୍ଷୀୟ ପଡ଼ୋଶୀ ସାହିଲ ଖାଇରେଙ୍କୁ ଗିରଫ କରିଛି। ମୃତ ନାବାଳିକା ଜଣକ ଜଣେ କୃଷି ଶ୍ରମିକ ପରିବାରର ହୋଇଥିବା ବେଳେ ସେ ଚତୁର୍ଥ ଶ୍ରେଣୀରେ ପଢୁଥିଲେ। ଅସୁସ୍ଥ ଥିବାରୁ ଘଟଣା ଦିନ ସେ ସ୍କୁଲ ଯାଇନଥିଲେ।

ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ, ମଙ୍ଗଳବାର ଅପରାହ୍ନରେ ନାବାଳିକାଙ୍କ ବାପା-ମାଆ ଘରେ ନଥିବାର ସୁଯୋଗ ନେଇ ଅଭିଯୁକ୍ତ ତାଙ୍କୁ ଏକୁଟିଆ ପାଇଥିଲେ। ଅଭିଯୋଗ ଅନୁଯାୟୀ, ସେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ପରେ ତାଙ୍କୁ ଗଳା ଚିପି ହତ୍ୟା କରିଥିଲେ। ଘରେ ନାବାଳିକାଙ୍କୁ ନପାଇ ପରିବାର ଓ ଗ୍ରାମବାସୀ ଖୋଜାଖୋଜି ଆରମ୍ଭ କରିଥିଲେ। ପରେ ପୁଲିସରେ ନିଖୋଜ ଅଭିଯୋଗ ଦାଖଲ ହୋଇଥିଲା। ଉଲ୍ଲେଖନୀୟ ଭାବେ, ଅଭିଯୁକ୍ତ ମଧ୍ୟ ଗ୍ରାମବାସୀ ଓ ପୁଲିସ ସହ ମିଶି ନାବାଳିକାଙ୍କୁ ଖୋଜିବାରେ ସାମିଲ ହୋଇଥିବା ପୁଲିସ କହିଛି।

ତଦନ୍ତ ସମୟରେ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରିବାରୁ ଜଣେ ସନ୍ଦିଗ୍ଧ ବ୍ୟକ୍ତି ସାଇକେଲରେ ଯାଉଥିବା ଦୃଶ୍ୟ ପୁଲିସ ହାତରେ ଲାଗିଥିଲା। ପଚରାଉଚରା ବେଳେ ସାହିଲ ଖାଇରେ ଫୁଟେଜ୍‌ରେ ଥିବା ବ୍ୟକ୍ତି ନିଜେ ବୋଲି ସ୍ୱୀକାର କରିଥିବା ଏବଂ ପରବର୍ତ୍ତୀ ପଚରାଉଚରାରେ ଅପରାଧ ସମ୍ପର୍କରେ ସ୍ୱୀକାରୋକ୍ତି ଦେଇଥିବା ପୁଲିସ ସୂଚନା ଦେଇଛି। ତାଙ୍କ ଦେଇଥିବା ସୂଚନା ଆଧାରରେ ଏକ ନାଳା ନିକଟରେ ଗଛ ତଳୁ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଫରେନସିକ୍ ଟିମ୍ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରିଛି।

ଘଟଣା ପରେ ପିମ୍ପଲୱାଣ୍ଡି ଓ ଜୁନ୍ନାର ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ନାବାଳିକାଙ୍କ ପରିବାର ଓ ଗ୍ରାମବାସୀ ପୁଣେ-ନାସିକ୍ ରାଜପଥ ଅବରୋଧ କରି ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଓ ମାମଲାର ଶୀଘ୍ର ବିଚାର ପାଇଁ ଫାଷ୍ଟ-ଟ୍ରାକ୍ କୋର୍ଟ ଦାବି କରିଛନ୍ତି। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ଅଜିତ ପାୱାର ଘଟଣାକୁ ନେଇ ଦୁଃଖ ପ୍ରକାଶ କରି ପୁଣେ ରୁରାଲ ଏସ୍‌ପି ସନ୍ଦୀପ ସିଂହ ଗିଲ୍‌ଙ୍କ ସହ ଫୋନ୍‌ରେ କଥା ହୋଇ ନିରପେକ୍ଷ ଓ ତ୍ୱରିତ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ଙ୍କୁ ମାମଲାକୁ ଫାଷ୍ଟ-ଟ୍ରାକ୍ କୋର୍ଟରେ ଚଳାଇବାକୁ ଅନୁରୋଧ କରିବେ ବୋଲି କହିଛନ୍ତି। ତଦନ୍ତରେ ବ୍ୟବଚ୍ଛେଦ ଓ ଫରେନସିକ୍ ରିପୋର୍ଟକୁ ଗୁରୁତ୍ୱ ଦିଆଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ