ଘରେ ବସି ମିଳିବ ରାଜସ୍ୱ ସେବା! ‘ଅମସାଥି’ ଚାଟ୍ବଟ୍ ଲଞ୍ଚ୍ କଲେ ମନ୍ତ୍ରୀ ସୁରେଶ ପୂଜାରୀ
ଭୁବନେଶ୍ୱର: ଏଣିକି ବିଭିନ୍ନ ରାଜସ୍ୱ ସେବା ପାଇଁ ନାଗରିକଙ୍କୁ ବାରମ୍ବାର ସରକାରୀ ଅଫିସ୍ ଦୌଡ଼ିବାକୁ ପଡ଼ିବନି। ଘରେ ବସି ହାତପାଆନ୍ତାରେ ରାଜସ୍ୱ ବିଭାଗର ବିଭିନ୍ନ ସେବା ପାଇବା ପାଇଁ ‘ଅମସାଥି ଚାଟ୍ବଟ୍ ଆପ୍’ର ଶୁଭାରମ୍ଭ କରାଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ଏହି ଡିଜିଟାଲ୍ ସେବାର ଶୁଭାରମ୍ଭ କରିଛନ୍ତି।
ପ୍ରଥମ ପର୍ଯ୍ୟାୟରେ ଚାଟ୍ବଟ୍ ମାଧ୍ୟମରେ ରାଜସ୍ୱ ବିଭାଗର ୧୬ଟି ସେବା ଉପଲବ୍ଧ ହେବ। ପରେ ଆଉ ଦୁଇଟି ସେବାକୁ ଏଥିରେ ସାମିଲ କରାଯିବ। ମ୍ୟୁଟେସନ୍, କିସମ ପରିବର୍ତ୍ତନ, ବିବାହ ପଞ୍ଜିକରଣ, ସୋସାଇଟି ରେଜିଷ୍ଟ୍ରେସନ୍ ସହ ଜାତି, ଆୟ ଓ ବାସସ୍ଥାନ ପ୍ରମାଣପତ୍ର ଭଳି ସେବା ଏହା ମାଧ୍ୟମରେ ମିଳିପାରିବ। ଏଥିସହ ଭୂଲେଖରେ ପଟ୍ଟା ସମ୍ପର୍କିତ ତଥ୍ୟ ଜାଣିବା ସହ ଆବେଦନ କରିବା ପରେ ତାହାର ସ୍ଥିତି ମଧ୍ୟ ଚାଟ୍ବଟ୍ ଜରିଆରେ ଯାଞ୍ଚ କରିହେବ।
ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଏହି ବ୍ୟବସ୍ଥା ଜରିଆରେ ଏପର୍ଯ୍ୟନ୍ତ କଲମ୍-ଟୁ-କରେକ୍ସନ୍ ସମ୍ପର୍କିତ ପ୍ରାୟ ୧ କୋଟି ମାମଲା ପ୍ରକ୍ରିୟାକରଣ ହୋଇଛି। ଅଭିଯୋଗ ଦାଖଲ କିମ୍ବା ସହାୟତା ପାଇଁ ୯୪୩୭୨୯୨୦୦୦ ନମ୍ବରରେ ମଧ୍ୟ ଯୋଗାଯୋଗ କରିହେବ। ରାଜ୍ୟରେ ପ୍ରାୟ ୧ କୋଟି ୬୫ ଲକ୍ଷ ଲୋକ ହ୍ୱାଟ୍ସଆପ୍ ବ୍ୟବହାର କରୁଥିବାରୁ ଚାଟ୍ବଟ୍ ଭିତ୍ତିକ ଏହି ବ୍ୟବସ୍ଥା ରାଜସ୍ୱ ସେବାକୁ ଆହୁରି ସହଜ ଓ ଲୋକାଭିମୁଖୀ କରିବ ବୋଲି ମନ୍ତ୍ରୀ କହିଛନ୍ତି।

