Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

MMDR ବିଲ୍‌କୁ ନେଇ ବିଜେଡିର ବିରୋଧ, ନବୀନ କହିଲେ- ‘ଓଡ଼ିଶାର ଖଣି ଉପରେ ଅଧିକାର ଛଡ଼ାଇ ନିଆଯାଇଛି’

ଭୁବନେଶ୍ୱର: ନିକଟରେ ସଂସଦରେ ପାରିତ ହୋଇଥିବା MMDR ବିଲ୍‌କୁ ନେଇ ବିଜେଡି ପକ୍ଷରୁ ତୀବ୍ର ଆପତ୍ତି ପ୍ରକାଶ ପାଇଛି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି, ଏହି ବିଲ୍‌ ଓଡ଼ିଶା ଓ ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ କ୍ଷତିକାରକ ହୋଇପାରେ। ଏତେ ଗୁରୁତ୍ୱପୂର୍ଣ୍ଣ ବିଲ୍‌କୁ ବିନା ଆଲୋଚନାରେ ପାରିତ କରାଯାଇଥିବା ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ବିଲ୍‌କୁ ବିରୋଧ କରି ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସର୍ବଦଳୀୟ ବୈଠକ ଏବଂ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଦାବି କରିଥିବା କହିଛନ୍ତି।

ନବୀନ କହିଛନ୍ତି, ଓଡ଼ିଶା ଓ ଓଡ଼ିଶାବାସୀଙ୍କ ସ୍ୱାର୍ଥ ଆଗରେ କୌଣସି ଦଳ ବଡ଼ ନୁହେଁ। ଦଳୀୟ ରାଜନୀତିଠାରୁ ଊର୍ଦ୍ଧ୍ୱରେ ରହି ରାଜ୍ୟର ସ୍ୱାର୍ଥ ପାଇଁ ସମସ୍ତେ ଏକାଠି ହେବା ଆବଶ୍ୟକ। ତାଙ୍କ ଅଭିଯୋଗ ଅନୁସାରେ, MMDR ବିଲ୍‌ ରାଜ୍ୟର ଖଣିଜ ସମ୍ପଦ ଉପରେ ଥିବା ଅଧିକାରକୁ ଦୁର୍ବଳ କରିଛି। ଓଡ଼ିଶାର ଖଣିଜ ସମ୍ପଦରୁ ମିଳୁଥିବା ରାଜସ୍ୱ ରାଜ୍ୟବାସୀଙ୍କ କଲ୍ୟାଣରେ ବ୍ୟବହାର ହେବା ଉଚିତ ବୋଲି ସେ ମତ ଦେଇଛନ୍ତି। ତାଙ୍କ କହିବା ଅନୁସାରେ, ରାଜ୍ୟର ସମ୍ପଦରୁ ଦିଲ୍ଲୀ ଅଧିକ ଲାଭବାନ ହେବାର ବ୍ୟବସ୍ଥାକୁ ଓଡ଼ିଶା ଗ୍ରହଣ କରିବ ନାହିଁ।

ନବୀନ ଆହୁରି କହିଛନ୍ତି, ୨୪ ବର୍ଷ ଧରି ସେ ଓଡ଼ିଶାର ସ୍ୱାର୍ଥ ଓ ଅଧିକାରର ସୁରକ୍ଷା ପାଇଁ କାମ କରିଥିଲେ। କେନ୍ଦ୍ରରେ ବିଭିନ୍ନ ଦଳର ସରକାର ଥିବା ସତ୍ତ୍ୱେ ରାଜ୍ୟର ଅଧିକାରକୁ କ୍ଷତି ପହଞ୍ଚାଇବାକୁ କେହି ସାହସ କରିନଥିଲେ ବୋଲି ସେ କହିଛନ୍ତି। ୨୦୨୪ରେ ଓଡ଼ିଶାରେ ସରକାର ପରିବର୍ତ୍ତନ ପରେ ମାତ୍ର ଦୁଇ ବର୍ଷ ମଧ୍ୟରେ ସ୍ଥିତି ବଦଳିଯାଇଥିବା ନେଇ ମଧ୍ୟ ସେ ଟିପ୍ପଣୀ ଦେଇଛନ୍ତି। ଏବେ ଓଡ଼ିଶାକୁ କେନ୍ଦ୍ରର ଦୟା ଉପରେ ନିର୍ଭର କରିବାକୁ ପଡ଼ିବ ବୋଲି ନବୀନ ଅଭିଯୋଗ କରିଥିବା ବେଳେ, MMDR ବିଲ୍‌କୁ ନେଇ ରାଜ୍ୟର ସ୍ୱାର୍ଥରେ ଏକଜୁଟ ହେବାକୁ ସେ ଆହ୍ୱାନ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories