Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିଲ୍ଲୀରେ CNG ସିଲିଣ୍ଡର ବିସ୍ଫୋରଣ, ଜଣେ ମୃତ; ୬ ଗୁରୁତର

ନୂଆଦିଲ୍ଲୀ: ଦିଲ୍ଲୀର ଟିକ୍ରି କଲାନ ମେଟ୍ରୋ ଷ୍ଟେସନ ନିକଟ ଏକ ଇନ୍ଧନ ଭର୍ତ୍ତି କେନ୍ଦ୍ରରେ ବୁଧବାର ଭୟାବହ ଘଟଣା ଘଟିଛି। ଟ୍ରକ୍‌ର CNG ସିଲିଣ୍ଡରରେ ଗ୍ୟାସ୍‌ ଭର୍ତ୍ତି କରାଯାଉଥିବା ବେଳେ ହଠାତ୍‌ ସିଲିଣ୍ଡର ବିସ୍ଫୋରଣ ହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବା ସହ ୬ ଜଣ ଆହତ ହୋଇଛନ୍ତି। ମୃତକଙ୍କୁ ପଶ୍ଚିମ ଦିଲ୍ଲୀର ବାବା ହରିଦାସ କଲୋନୀ ଅଞ୍ଚଳର ୨୫ ବର୍ଷୀୟ ମନୀଷ ବୋଲି ଚିହ୍ନଟ କରାଯାଇଛି। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା DCP ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ଟ୍ରକ୍‌ର CNG ସିଲିଣ୍ଡରରେ ଗ୍ୟାସ୍‌ ଭର୍ତ୍ତି କରୁଥିବା ବ୍ୟକ୍ତି ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି। ବିସ୍ଫୋରଣ ସମୟରେ ନିକଟରେ ଥିବା ୬ ଜଣ ମଧ୍ୟ ଗୁରୁତର ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇ ଚିକିତ୍ସା କରାଯାଉଛି। ଦିଲ୍ଲୀ ଫାୟାର ସର୍ଭିସ୍‌କୁ ଅପରାହ୍ନ ୩ଟା ୩୭ ମିନିଟ୍‌ରେ ଘଟଣା ସମ୍ପର୍କରେ ସୂଚନା ମିଳିଥିଲା। ଖବର ପାଇ ୬ଟି ଦମକଳ ଗାଡ଼ି ସହ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ।

ବିସ୍ଫୋରଣ ପରେ ଅଞ୍ଚଳରେ କିଛି ସମୟ ପାଇଁ ଆତଙ୍କ ଓ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ପୁଲିସ ଓ ଅଗ୍ନିଶମ ବିଭାଗର ବଡ଼ ଟିମ୍‌ ଘଟଣାସ୍ଥଳରେ ମୁତୟନ ହୋଇ ଆବଶ୍ୟକ ସୁରକ୍ଷାମୂଳକ ପଦକ୍ଷେପ ନେଇଛନ୍ତି। ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ଥିବା ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି। ତେବେ CNG ସିଲିଣ୍ଡର କାହିଁକି ବିସ୍ଫୋରଣ ହେଲା, ତାହାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ବିସ୍ଫୋରଣର କାରଣ ଓ ଅନ୍ୟାନ୍ୟ ଦିଗ ଯାଞ୍ଚ କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ