Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନିଆରେ ଭୟଙ୍କର ହେଲିକପ୍ଟର ଦୁର୍ଘଟଣା, ଆକାଶ ସଫାରି ହେଲା ଶେଷ ଯାତ୍ରା; ୭ ମୃତ

ନୂଆଦିଲ୍ଲୀ: କେନିଆର ସାମ୍ବୁରୁ କାଉଣ୍ଟିରେ ଏକ ଭୟାବହ ହେଲିକପ୍ଟର ଦୁର୍ଘଟଣାରେ ପାଇଲଟଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ଘଟିଛି। ନାଇରୋବିର ଉତ୍ତରରେ ଘଟିଥିବା ଏହି ଦୁର୍ଘଟଣା ସ୍ଥାନୀୟ ସମୟ ପୂର୍ବାହ୍ନ ପ୍ରାୟ ୯ଟା ୧୩ ମିନିଟ୍‌ରେ ଘଟିଥିବା କେନିଆ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ (KCAA) ସୂଚନା ଦେଇଛି। ଚାର୍ଟର୍ଡ ହେଲିକପ୍ଟରଟି ସକାଳେ ଲୋଇସାବା ବନ୍ୟପ୍ରାଣୀ ସଂରକ୍ଷଣରୁ ଉଡ଼ାଣ ଆରମ୍ଭ କରିଥିଲା। ଦୁର୍ଘଟଣା ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରୁ ସମସ୍ତ ୭ ଜଣଙ୍କ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛନ୍ତି।

ମୃତକଙ୍କ ମଧ୍ୟରେ ୫ ଜଣ ଆମେରିକୀୟ ନାଗରିକଙ୍କ ସହ ଇକ୍ୱେଡରର ଜଣେ ବରିଷ୍ଠ ଅଧିକାରୀ ଏବଂ ଜଣେ ଆମେରିକୀୟ ସାମ୍ବାଦିକ ଥିବା ସୂଚନା ମିଳିଛି। ଲୋଇସାବା ଅଭୟାରଣ୍ୟରୁ ହେଲିକପ୍ଟରରେ ଆକାଶ ସଫାରି କରିବାକୁ ବାହାରିଥିବା ବେଳେ ଏହି ଯାତ୍ରା ମୃତ୍ୟୁର ଯାତ୍ରାରେ ପରିଣତ ହୋଇଛି। ଘଟଣା ପରେ ପର୍ଯ୍ୟଟକଙ୍କ ସୁରକ୍ଷା ଏବଂ ହେଲିକପ୍ଟର ସଫାରିର ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ଯାନ୍ତ୍ରିକ ତ୍ରୁଟି କିମ୍ବା ଖରାପ ପାଗ ଏହାର କାରଣ ହୋଇଥାଇପାରେ କି ନାହିଁ, ତାହା ନେଇ ତଦନ୍ତ ଆରମ୍ଭ ହୋଇଛି। କେନିଆ କର୍ତ୍ତୃପକ୍ଷ ଘଟଣା ସମ୍ପର୍କରେ ଆମେରିକା ଓ ଇକ୍ୱେଡର ଦୂତାବାସକୁ ଅବଗତ କରାଇଛନ୍ତି। ମୃତକଙ୍କ ପରିବାର ପ୍ରତି ସରକାର ଗଭୀର ସମବେଦନା ଜଣାଇଛନ୍ତି। ଦୁର୍ଘଟଣାର ସମ୍ପୂର୍ଣ୍ଣ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories