Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉତ୍ତର-ମଧ୍ୟ ଭାରତରେ ବର୍ଷା ବିପଦ; ୮ ରାଜ୍ୟକୁ ରେଡ୍‌ ଆଲର୍ଟ

ନୂଆଦିଲ୍ଲୀ: ଦେଶର ଅନେକ ଅଞ୍ଚଳରେ ମୌସୁମୀ ବାୟୁ ସକ୍ରିୟ ଥିବାରୁ ଉତ୍ତର ଓ ମଧ୍ୟ ଭାରତରେ ପ୍ରବଳ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ (IMD) ସତର୍କତା ଜାରି କରିଛି। ଛତିଶଗଡ଼, ପୂର୍ବ ମଧ୍ୟପ୍ରଦେଶ ଓ ପଶ୍ଚିମ ଉତ୍ତରପ୍ରଦେଶର କିଛି ଅଞ୍ଚଳରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷାର ଆଶଙ୍କା ରହିଛି। ଏହାସହ ପୂର୍ବ ଉତ୍ତରପ୍ରଦେଶ, ପଶ୍ଚିମ ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ଜମ୍ମୁ-କଶ୍ମୀର, ଲଦାଖ ଏବଂ ଉତ୍ତର-ପୂର୍ବ ଭାରତର ଅନେକ ଅଞ୍ଚଳରେ ମଧ୍ୟ ଭାରୀ ବର୍ଷା ହୋଇପାରେ।

IMD ଅନୁସାରେ, ଉତ୍ତର ଝାଡ଼ଖଣ୍ଡ ଏବଂ ଏହାର ଆଖପାଖ ଦକ୍ଷିଣ-ପଶ୍ଚିମ ବିହାର ଓ ଦକ୍ଷିଣ-ପୂର୍ବ ଉତ୍ତରପ୍ରଦେଶ ଉପରେ ଥିବା ଲଘୁଚାପ କ୍ଷେତ୍ର ଯୋଗୁଁ ବର୍ଷାର ପ୍ରଭାବ ବଢ଼ିଛି। ଆଗାମୀ ୨୪ ଘଣ୍ଟାରେ ଏହି ଲଘୁଚାପ ଦକ୍ଷିଣ-ପୂର୍ବ ଉତ୍ତରପ୍ରଦେଶ, ଉତ୍ତର ଛତିଶଗଡ଼ ଓ ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ଦେଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିପାରେ। ଉତ୍ତରପ୍ରଦେଶରେ ଅଗଷ୍ଟ ୨୦ ଓ ୨୨ ତାରିଖରେ ପଶ୍ଚିମ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ଏବଂ ପୂର୍ବ ଅଞ୍ଚଳରେ ୨୦ରୁ ୨୨ ତାରିଖ ମଧ୍ୟରେ ଭାରୀ ବର୍ଷା ହୋଇପାରେ। ଦକ୍ଷିଣ-ପୂର୍ବ ଉତ୍ତରପ୍ରଦେଶରେ ୨୦ ତାରିଖରେ ଅତିପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୬୦ କିମି ବେଗରେ ପବନ ବହିବାର ମଧ୍ୟ ଆଶଙ୍କା ରହିଛି।

ପୂର୍ବ ମଧ୍ୟପ୍ରଦେଶରେ ଅଗଷ୍ଟ ୨୫ ପର୍ଯ୍ୟନ୍ତ ଏବଂ ପଶ୍ଚିମ ମଧ୍ୟପ୍ରଦେଶରେ ୨୦ରୁ ୨୩ ତାରିଖ ମଧ୍ୟରେ ବର୍ଷା ଜାରି ରହିପାରେ। ଛତିଶଗଡ଼ର କିଛି ଅଞ୍ଚଳ ପାଇଁ ମଧ୍ୟ ପ୍ରବଳରୁ ଅତିପ୍ରବଳ ବର୍ଷାର ଆଲର୍ଟ ରହିଛି। ଏହାବ୍ୟତୀତ ଦିଲ୍ଲୀ, ହରିୟାଣା ଓ ଚଣ୍ଡିଗଡ଼ର କିଛି ସ୍ଥାନରେ ବର୍ଷା ସହ ଘଡ଼ଘଡ଼ି ହୋଇପାରେ। ଉତ୍ତରାଖଣ୍ଡର ଅନେକ ଜିଲ୍ଲାରେ ରେଡ୍‌ ଆଲର୍ଟ ଜାରି ହୋଇଥିବା ବେଳେ ଜମ୍ମୁ-କଶ୍ମୀର ଏବଂ ଅରୁଣାଚଳପ୍ରଦେଶ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଓ ତ୍ରିପୁରାର ବିଭିନ୍ନ ସ୍ଥାନରେ ମଧ୍ୟ ପ୍ରବଳ ବର୍ଷା ଆଶଙ୍କା କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories