ଡିଭାଇଡରରେ ପିଟିହେବା ପରେ ଜଳିଗଲା କୁକୁଡ଼ା ଦାନା ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଚାଳକ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ପାପକ୍ଷୟ ଛକ ନିକଟରେ ଏକ କୁକୁଡ଼ା ଦାନା ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଯାଇଛି। ନୟାଗଡ଼ରୁ ବରଗଡ଼ ଅଭିମୁଖେ ଯାଉଥିବା ଟ୍ରକ୍ଟି କୌଣସି କାରଣରୁ ନିୟନ୍ତ୍ରଣ ହରାଇ ଡିଭାଇଡରରେ ପିଟି ହୋଇଥିଲା। ଦୁର୍ଘଟଣା ପରେ ହଠାତ୍ ଟ୍ରକ୍ରେ ନିଆଁ ଲାଗିଯିବାରୁ ଘଟଣାସ୍ଥଳରେ ଆତଙ୍କ ସୃଷ୍ଟି ହୋଇଥିଲା।
ଟ୍ରକ୍ରେ ନିଆଁ ଲାଗିବା ପରେ ଏହା ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା। ତେବେ ଚାଳକ ଅଳ୍ପକେ ଗାଡ଼ିରୁ ବାହାରି ଆସିଥିବାରୁ ବଡ଼ ଅଘଟଣ ଟଳିଯାଇଛି। ଦୁର୍ଘଟଣାରେ ଚାଳକ ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ଉଦ୍ଧାର କରି ବିନିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟର ଚେଷ୍ଟା ପରେ ଟ୍ରକ୍ରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିଲା। ଅଗ୍ନିକାଣ୍ଡରେ ଟ୍ରକ୍ଟି ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଦୁର୍ଘଟଣାର ପ୍ରକୃତ କାରଣ ନେଇ ତଦନ୍ତ ଜାରି ରହିଛି।

