Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆତଙ୍କବାଦ ଓ ଡ୍ରଗ୍ସ ଚୋରାଚାଲାଣ ରୋକିବାକୁ ବଡ଼ ପଦକ୍ଷେପ! ପଶ୍ଚିମବଙ୍ଗ ସରକାର ଗଠନ କରିବେ ATS ଓ ANTF

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ଆତଙ୍କବାଦୀ ନେଟୱର୍କ ଓ ବଢ଼ୁଥିବା ନିଶାଦ୍ରବ୍ୟ ଚୋରାଚାଲାଣକୁ ରୋକିବା ପାଇଁ ରାଜ୍ୟ କ୍ୟାବିନେଟ୍‌ ବଡ଼ ନିଷ୍ପତ୍ତି ନେଇଛି। ଗୁରୁବାର ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ସ୍ୱତନ୍ତ୍ର ଆଣ୍ଟି-ଟେରରିଷ୍ଟ ସ୍କ୍ୱାଡ୍‌ (ATS) ଏବଂ ଆଣ୍ଟି-ନାର୍କୋଟିକ୍ସ ଟାସ୍କ ଫୋର୍ସ (ANTF) ଗଠନକୁ ଅନୁମୋଦନ ମିଳିଛି। ରାଜ୍ୟ ପୁଲିସ ଅଧୀନରେ ATS କାର୍ଯ୍ୟ କରିବ ଏବଂ ଆତଙ୍କବାଦୀ ଓ ବିଦ୍ରୋହୀ କାର୍ଯ୍ୟକଳାପ ବିରୋଧରେ ଅଭିଯାନ ଚଳାଇବ। ATS ପାଇଁ ୪୬୧ଟି ସ୍ଥାୟୀ ପଦ ସହ ଡିଜିଟାଲ୍ ଡାଟା ବିଶ୍ଳେଷଣ, ସାଇବର ସର୍ଭେଲାନ୍ସ ଓ ବୈଷୟିକ ସହାୟତା ପାଇଁ ୫ଟି ଚୁକ୍ତିଭିତ୍ତିକ ପଦ ମଧ୍ୟ ମଞ୍ଜୁର ହୋଇଛି।

ANTFକୁ ଅଧିକ ସୁଦୃଢ଼ କରିବା ପାଇଁ ଦୁର୍ଗାପୁର, ମାଲଦା, ଖଡ଼ଗପୁର ଓ ନଦିଆରେ ୪ଟି ନୂଆ ଥାନା ପ୍ରତିଷ୍ଠା କରାଯିବ। ଏହି ବଳ ପାଇଁ ପୁଲିସ ଓ ପ୍ରଶାସନର ବିଭିନ୍ନ ସ୍ତରରେ ୫୯୧ଟି ନୂଆ ପଦ ସୃଷ୍ଟିକୁ କ୍ୟାବିନେଟ ଅନୁମୋଦନ କରିଛି। ଆଧୁନିକ ପ୍ରଯୁକ୍ତିର ବ୍ୟବହାର କରି ଅପରାଧୀ ଓ ଆତଙ୍କବାଦୀ ନେଟୱର୍କର ଡିଜିଟାଲ୍ ଗତିବିଧି ଉପରେ ନଜର ରଖିବା, ସାଇବର ନିରୀକ୍ଷଣ ବଢ଼ାଇବା ଏବଂ ଦ୍ରୁତ ଅପରେସନ୍‌ କରିବା ଉପରେ ATS ଗୁରୁତ୍ୱ ଦେବ। ଏଥିସହ ଦକ୍ଷିଣ ୨୪ ପରଗଣାର ବାରୁଇପୁର ପୁଲିସ ଜିଲ୍ଲା ଅଧୀନରେ ସୂର୍ଯ୍ୟାପୁରରେ ଏକ ନୂଆ ଗ୍ରାମୀଣ ପୁଲିସ ଆଉଟ୍‌ପୋଷ୍ଟ ଏବଂ ଏଥିପାଇଁ ୧୯ଟି ପଦକୁ ମଧ୍ୟ ମଞ୍ଜୁରି ମିଳିଛି।

କ୍ୟାବିନେଟ୍‌ ବୈଠକରେ ମହିଳାଙ୍କ ବିରୋଧରେ ହିଂସା ସମ୍ପର୍କିତ ମାମଲା ଉପରେ କାର୍ଯ୍ୟ କରୁଥିବା ରାଜ୍ୟ ମହିଳା କମିଶନ ପାଇଁ ୬୮ଟି ପଦ ଏବଂ ପ୍ରତିଷ୍ଠାନଗତ ଦୁର୍ନୀତି ସମ୍ପର୍କିତ କମିଶନ ପାଇଁ ୫୭ଟି ପଦକୁ ମଧ୍ୟ ଅନୁମୋଦନ କରାଯାଇଛି। ରାଜ୍ୟରେ ସଂଗଠିତ ଅପରାଧ, ଡ୍ରଗ୍ସ କାରବାର ଓ ଆତଙ୍କବାଦୀ ଗତିବିଧି ବଢ଼ୁଥିବା ଆଶଙ୍କା ମଧ୍ୟରେ ଏହି ଦୁଇ ସ୍ୱତନ୍ତ୍ର ବଳ ଗଠନକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି। କ୍ୟାବିନେଟ୍‌ ଅନୁମୋଦନ ପରେ ଏବେ ATS ଓ ANTF ପାଇଁ ନିଯୁକ୍ତି ପ୍ରକ୍ରିୟା ସହ ଆବଶ୍ୟକ ଭିତ୍ତିଭୂମି ବିକାଶ କାର୍ଯ୍ୟ ଆରମ୍ଭ ହେବା ଆଶା କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories