ତାମିଲନାଡୁ ବିଧାୟକଙ୍କୁ ବଡ଼ ଉପହାର! ସମସ୍ତଙ୍କୁ ମିଳିବ ନୂଆ କାର୍; ଡ୍ରାଇଭର ଓ ସହାୟକ ପାଇଁ ମିଳିବ ମାସିକ ଟଙ୍କା
ତାମିଲନାଡୁ: ତାମିଲନାଡୁର ସମସ୍ତ ବିଧାୟକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବିଜୟ ବଡ଼ ଘୋଷଣା କରିଛନ୍ତି। ନିଜ ନିର୍ବାଚନମଣ୍ଡଳୀକୁ ନିୟମିତ ଯାତ୍ରା କରି ଲୋକଙ୍କ ସମସ୍ୟା ବୁଝିବା ଓ ସମାଧାନ କରିବାରେ ସୁବିଧା ପାଇଁ ସମସ୍ତ ବିଧାୟକଙ୍କୁ ନୂଆ କାର୍ ଯୋଗାଇ ଦିଆଯିବ। ଏହାସହ ଡ୍ରାଇଭରଙ୍କ ଦରମା ଓ କାର୍ ସମ୍ପର୍କିତ ଖର୍ଚ୍ଚ ପାଇଁ ପ୍ରତ୍ୟେକ ବିଧାୟକଙ୍କୁ ମାସକୁ ୭୫ ହଜାର ଟଙ୍କା ଦିଆଯିବ। ବିଧାୟକଙ୍କ କାର୍ଯ୍ୟାଳୟରେ ସହାୟକ ନିଯୁକ୍ତି ପାଇଁ ମାସିକ ଆଉ ୨୫ ହଜାର ଟଙ୍କା ମଧ୍ୟ ଯୋଗାଇ ଦିଆଯିବ।
ବିଧାନସଭାରେ ଭିସିକେ ବିଧାୟକ ଜୋଥିମଣି ବିଧାୟକମାନଙ୍କ ପାଇଁ ଆବଶ୍ୟକ ଯାନବାହନ ଓ ଲଜିଷ୍ଟିକ୍ ସୁବିଧା ନଥିବାରୁ ଲୋକଙ୍କ ପାଇଁ ପ୍ରଭାବୀ ଭାବେ କାମ କରିବା କଷ୍ଟକର ହେଉଥିବା କହି କାର୍ ଯୋଗାଇବାକୁ ଦାବି କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ବିଜୟ ଏହି ଘୋଷଣା କରିଥିଲେ। ଏହାସହ ସରକାରୀ ମେଡିକାଲ କଲେଜରେ ଛାତ୍ରଛାତ୍ରୀଙ୍କ ଭର୍ତ୍ତି କ୍ଷମତା ବଢ଼ାଇବା ପାଇଁ ୩୫୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହାଦ୍ୱାରା ବିଭିନ୍ନ ମେଡିକାଲ ଓ ପାରାମେଡିକାଲ ପାଠ୍ୟକ୍ରମରେ ମୋଟ ୬,୦୯୮ଟି ଅତିରିକ୍ତ ସିଟ୍ ସୃଷ୍ଟି ହେବ।
ଏହି ଯୋଜନାରେ ୬୬୦ଟି ବିଏସ୍ସି ନର୍ସିଂ ସିଟ୍, ନର୍ସିଂ କଲେଜ ଓ ସ୍କୁଲରେ ୧,୯୨୫ଟି ସିଟ୍, ୧୨ଟି ପାରାମେଡିକାଲ୍ ପାଠ୍ୟକ୍ରମରେ ୨,୭୭୮ଟି ସିଟ୍ ଏବଂ ମେଡିକାଲ ପାଠ୍ୟକ୍ରମରେ ୭୩୫ଟି ଅତିରିକ୍ତ ସିଟ୍ ରହିଛି। ରାଜ୍ୟରେ ୭ଟି ନୂଆ ସରକାରୀ ନର୍ସିଂ କଲେଜ ମଧ୍ୟ ପ୍ରତିଷ୍ଠା କରାଯିବ। ପେରାମ୍ବାଲୁରରେ ୩୦୦ କୋଟି ଟଙ୍କା ବ୍ୟୟରେ ୪୦୦ ଶଯ୍ୟା ବିଶିଷ୍ଟ ଏକ ଆଧୁନିକ ମଲ୍ଟି-ସ୍ପେଶାଲିଟି ହସ୍ପିଟାଲ ନିର୍ମାଣ କରାଯିବ। ଏଥିସହ ମୁଖ୍ୟମନ୍ତ୍ରୀ ସମଗ୍ର ସ୍ୱାସ୍ଥ୍ୟ ବୀମା ଯୋଜନାରେ ଚିକିତ୍ସା ଖର୍ଚ୍ଚର ବାର୍ଷିକ ସୀମା ୫ ଲକ୍ଷରୁ ୨୫ ଲକ୍ଷ ଟଙ୍କାକୁ ବଢ଼ାଇବା ପ୍ରସ୍ତାବ ରହିଛି। ଟ୍ରାନ୍ସଜେଣ୍ଡର ବ୍ୟକ୍ତିଙ୍କ ପାଇଁ ଚେନ୍ନାଇ ଷ୍ଟାନଲି ସମେତ ୭ଟି ସରକାରୀ ହସ୍ପିଟାଲରେ ଅତିରିକ୍ତ ଚିକିତ୍ସା ଓ ସର୍ଜରୀ ସୁବିଧା ମଧ୍ୟ ଯୋଗାଇ ଦିଆଯିବ।

