ଶ୍ୱଶୁର-ବୋହୂଙ୍କ ପ୍ରେମ ସମ୍ପର୍କକୁ ବିରୋଧ କରିବାରୁ ପୁଅର ଜୀବନ ଗଲା ! ଫ୍ୟାନ୍ରେ ଝୁଲାଇ ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ଅଭିଯୋଗ ସାମ୍ନାକୁ ଆସିଛି। ବୋହୂଙ୍କ ସହ ଶ୍ୱଶୁରଙ୍କ କଥିତ ଅନୈତିକ ସମ୍ପର୍କକୁ ପୁଅ ବିରୋଧ କରିବାରୁ ତାଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପରେ ଘଟଣାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ମୃତଦେହକୁ ଘର ଭିତରେ ଫ୍ୟାନ୍ରେ ଝୁଲାଇ ଦିଆଯାଇଥିବା ଅଭିଯୋଗ ଉଠିଛି।
ସୂଚନା ଅନୁସାରେ, ମୃତକ ଦୀର୍ଘଦିନ ଧରି ତାଙ୍କ ପତ୍ନୀ ଓ ବାପାଙ୍କ ସମ୍ପର୍କକୁ ନେଇ ଆପତ୍ତି କରୁଥିଲେ। ଏହାକୁ ନେଇ ପରିବାରରେ ବାରମ୍ବାର ବିବାଦ ମଧ୍ୟ ହେଉଥିଲା। ଅଭିଯୋଗ ଅନୁସାରେ, ଗୁରୁବାର ସନ୍ଧ୍ୟାରେ ପୁଣି ଏହି ଘଟଣାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏହାପରେ ବାପା ପୁଅକୁ ତଣ୍ଟି ଚିପି ହତ୍ୟା କରିଥିବା ଏବଂ ପରେ ମୃତଦେହକୁ ଫ୍ୟାନ୍ରେ ଝୁଲାଇ ଦେଇଥିବା ଅଭିଯୋଗ ହୋଇଛି।
ଏହି ଘଟଣାରେ ମୃତକଙ୍କ ପତ୍ନୀଙ୍କ ସମେତ ପରିବାରର ଅନ୍ୟ କିଛି ସଦସ୍ୟଙ୍କ ସମ୍ପୃକ୍ତି ଥିବା ନେଇ ମଧ୍ୟ ଅଭିଯୋଗ ଉଠିଛି। ତେବେ ରିପୋର୍ଟ ଲେଖା ହେବା ସୁଦ୍ଧା ଥାନାରେ ଏନେଇ କୌଣସି ଲିଖିତ ଅଭିଯୋଗ ହୋଇନଥିବା ଜଣାପଡ଼ିଛି। ଘଟଣାକୁ ଚପାଇ ଦେବା ପାଇଁ ଉଦ୍ୟମ ହେଉଥିବା ମଧ୍ୟ ସୂଚନା ମିଳିଛି। ତେବେ ପୋଲିସ ତଦନ୍ତ ପରେ ହିଁ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ।

