Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁଷ୍କର୍ମ ମାମଲାରେ ୧୦ ବର୍ଷ ଜେଲ୍ ଦଣ୍ଡକୁ ଚ୍ୟାଲେଞ୍ଜ୍‌ କଲେ ତରୁଣ ତେଜପାଲ, ସୁପ୍ରିମକୋର୍ଟରେ ଦାଖଲ କଲେ ଆବେଦନ

ନୂଆଦିଲ୍ଲୀ: ଦୁଷ୍କର୍ମ ମାମଲାରେ ୧୦ ବର୍ଷର ଜେଲ୍ ଦଣ୍ଡ ପାଇଥିବା ସାମ୍ବାଦିକ ତରୁଣ ତେଜପାଲ ବମ୍ବେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ୍‌ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ସେ ହାଇକୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ୧୦ ବର୍ଷର ଜେଲ୍ ଦଣ୍ଡକୁ ମଧ୍ୟ ଚ୍ୟାଲେଞ୍ଜ୍‌ କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ଗୋଆ ସରକାର ମଧ୍ୟ ଏହି ମାମଲାରେ ଦଣ୍ଡ ବଢ଼ାଇ ଆଜୀବନ କାରାଦଣ୍ଡ କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ।

ଗୋଆ ସରକାର ନିଜ ଆବେଦନରେ ଯୁକ୍ତି ଦର୍ଶାଇଛନ୍ତି ଯେ, ତେଜପାଲଙ୍କ ବିରୋଧରେ ଥିବା ଦୁଇଟି ଗୁରୁତର ଦୁଷ୍କର୍ମ ମାମଲାରେ ବମ୍ବେ ହାଇକୋର୍ଟ ୧୦ ବର୍ଷର ସର୍ବନିମ୍ନ ଦଣ୍ଡ ଦେଇଛନ୍ତି ଏବଂ ଉଭୟ ଦଣ୍ଡକୁ ଏକାସାଙ୍ଗରେ ଚଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅପରାଧ ଘଟିବାର ୧୩ ବର୍ଷ ବିତିଯାଇଥିବା ଏବଂ ପୀଡ଼ିତା ଓ ତେଜପାଲ ନିଜ ଜୀବନରେ ଆଗକୁ ବଢ଼ିଥିବା କାରଣକୁ ଦଣ୍ଡ ନିର୍ଦ୍ଧାରଣ ସମୟରେ ହାଇକୋର୍ଟ ବିଚାର କରିଥିବା ସରକାର କହିଛି। ତେବେ ନ୍ୟାୟ ପ୍ରଦାନରେ ବିଳମ୍ବକୁ ଅପରାଧୀଙ୍କ ପାଇଁ ଲାଭର କାରଣ କରାଯାଇପାରିବ ନାହିଁ ବୋଲି ଗୋଆ ସରକାର ଯୁକ୍ତି ରଖିଛି।

୨୦୧୩ ନଭେମ୍ବର ୭ ଓ ୮ ତାରିଖରେ ଗୋଆର ଏକ ପଞ୍ଚତାରକା ହୋଟେଲର ଲିଫ୍ଟ ଭିତରେ ତେଜପାଲ ତାଙ୍କର ଜଣେ ପୂର୍ବତନ କନିଷ୍ଠ ସହକର୍ମୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ମାମଲାରେ ତେଜପାଲଙ୍କୁ ଗିରଫ କରାଯିବା ପରେ ସେ ‘ତେହେଲକା’ର ସମ୍ପାଦକ-ଇନ୍-ଚିଫ୍ ପଦରୁ ଇସ୍ତଫା ଦେଇଥିଲେ। ୨୦୨୧ରେ ଗୋଆର ଏକ ଟ୍ରାଏଲ୍ କୋର୍ଟ ତାଙ୍କୁ ସମସ୍ତ ଅଭିଯୋଗରୁ ଦୋଷମୁକ୍ତ କରିଥିଲେ। ଏହା ବିରୋଧରେ ଗୋଆ ସରକାର ହାଇକୋର୍ଟରେ ଆବେଦନ କରିଥିଲା। ଚଳିତ ମାସରେ ବମ୍ବେ ହାଇକୋର୍ଟ ୨୦୨୧ର ଦୋଷମୁକ୍ତ ରାୟକୁ ‘ବିକୃତ’ ବୋଲି ମତ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories