ଏମ୍ସର ବଡ଼ ଭୁଲ୍! HIV ନେଗେଟିଭ୍ ରୋଗୀଙ୍କୁ ରେକର୍ଡରେ ଦର୍ଶାଇଥିଲେ ପଜିଟିଭ୍, ଦେବେ ୬୦ ହଜାର ଟଙ୍କା
ଭୁବନେଶ୍ୱର: ଏଚ୍ଆଇଭି ନେଗେଟିଭ୍ ଥିବା ଜଣେ ରୋଗୀଙ୍କୁ ଭୁଲ୍ରେ HIV ପଜିଟିଭ୍ ଦର୍ଶାଇବା ମାମଲାରେ ଏମ୍ସ ଋଷିକେଶକୁ ଝଟକା ଲାଗିଛି। ରୋଗୀଙ୍କ ଡିସଚାର୍ଜ ସାରାଂଶ ଓ ଅନ୍ୟାନ୍ୟ ଚିକିତ୍ସା ରେକର୍ଡରେ ବାରମ୍ବାର HIV ପଜିଟିଭ୍ ଲେଖାଯାଇଥିବା ଘଟଣାକୁ ଚିକିତ୍ସା ଅବହେଳା ବୋଲି ଦର୍ଶାଇଛନ୍ତି ଉତ୍ତରାଖଣ୍ଡ ରାଜ୍ୟ ଖାଉଟି କମିସନ। ଏହାସହ ରୋଗୀଙ୍କୁ ମୋଟ ୬୦ ହଜାର ଟଙ୍କା ଦେବାକୁ ଜିଲ୍ଲା କମିସନ ଦେଇଥିବା ରାୟକୁ ରାଜ୍ୟ କମିସନ କାଏମ୍ ରଖିଛନ୍ତି।
ଘଟଣାଟି ୨୦୧୪ ମସିହାର। ଅସୁସ୍ଥ ହୋଇ ଜଣେ ବ୍ୟକ୍ତି ଜୁଲାଇ ୧୫ରେ ଏମ୍ସ ଋଷିକେଶରେ ଭର୍ତ୍ତି ହୋଇଥିଲେ ଏବଂ ପରଦିନ ଡିସଚାର୍ଜ ହୋଇଥିଲେ। ତେବେ ହସ୍ପିଟାଲର ଡିସଚାର୍ଜ ସାରାଂଶ ସମେତ ଅନ୍ୟ ଚିକିତ୍ସା ରେକର୍ଡରେ ତାଙ୍କୁ HIV ପଜିଟିଭ୍ ବୋଲି ଉଲ୍ଲେଖ କରାଯାଇଥିଲା। ଏପରିକି HIV ଚିକିତ୍ସା ନେବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା। ପରେ ରୋଗୀ ଡେରାଡୁନର ଅନ୍ୟ ଦୁଇଟି ମେଡିକାଲ୍ ପ୍ରତିଷ୍ଠାନରେ ପରୀକ୍ଷା କରାଇଥିଲେ ଏବଂ ଉଭୟ ସ୍ଥାନରେ ରିପୋର୍ଟ ନେଗେଟିଭ୍ ଆସିଥିଲା। ଏହି ଭୁଲ୍ ରେକର୍ଡ ଯୋଗୁଁ ମାନସିକ ଓ ଶାରୀରିକ ଯନ୍ତ୍ରଣା ସହ ଆର୍ଥିକ କ୍ଷତି ହୋଇଥିବା ଅଭିଯୋଗ କରି ସେ ହରିଦ୍ୱାର ଜିଲ୍ଲା ଖାଉଟି କମିସନଙ୍କ ଦ୍ୱାରସ୍ଥ ହୋଇଥିଲେ।
୨୦୧୯ ଏପ୍ରିଲରେ ଜିଲ୍ଲା ଖାଉଟି କମିସନ ଏମ୍ସକୁ ୫୦ ହଜାର ଟଙ୍କା କ୍ଷତିପୂରଣ ଓ ୧୦ ହଜାର ଟଙ୍କା ମାମଲା ଖର୍ଚ୍ଚ ଦେବାକୁ ଆଦେଶ ଦେଇଥିଲେ। ଏମ୍ସ ଏହାକୁ ରାଜ୍ୟ କମିସନରେ ଚ୍ୟାଲେଞ୍ଜ କରିଥିଲା ଏବଂ ହସ୍ପିଟାଲ ପକ୍ଷରୁ HIV ପରୀକ୍ଷା କିମ୍ବା ରୋଗୀଙ୍କୁ HIV ପଜିଟିଭ୍ ଘୋଷଣା କରାଯାଇଥିବା ଅଭିଯୋଗକୁ ଅସ୍ୱୀକାର କରାଯାଇଥିଲା। ତେବେ ରାଜ୍ୟ କମିସନ କହିଛନ୍ତି ଯେ, ଏମ୍ସର ନିଜସ୍ୱ ମେଡିକାଲ୍ ରେକର୍ଡ ହିଁ ହସ୍ପିଟାଲର ଯୁକ୍ତିକୁ ଖଣ୍ଡନ କରୁଛି। ଫଳରେ ଜିଲ୍ଲା କମିସନଙ୍କ ରାୟକୁ କାଏମ୍ ରଖି ଏମ୍ସକୁ ୫୦ ହଜାର ଟଙ୍କା କ୍ଷତିପୂରଣ ଓ ୧୦ ହଜାର ଟଙ୍କା ମାମଲା ଖର୍ଚ୍ଚ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

