କର୍ଣ୍ଣାଟକର ୩୬ ରେଳ ଷ୍ଟେସନରେ ଖାଦ୍ୟ ସୁରକ୍ଷା ଯାଞ୍ଚ; ମିଳିଲା ମିଆଦ ପୁରୁଣା କ୍ଷୀର-ଦହି, ଅସ୍ୱାସ୍ଥ୍ୟକର ଖାଦ୍ୟ
କର୍ଣ୍ଣାଟକ: କର୍ଣ୍ଣାଟକର ବିଭିନ୍ନ ରେଳ ଷ୍ଟେସନରେ ଖାଦ୍ୟ ସୁରକ୍ଷା ବିଭାଗର ସ୍ୱତନ୍ତ୍ର ଯାଞ୍ଚ ବେଳେ ଅନେକ ଅନିୟମିତତା ସାମ୍ନାକୁ ଆସିଛି। ଅଧିକାରୀମାନେ ୩୬ଟି ରେଳ ଷ୍ଟେସନର ୧୧୨ଟି ଖାଦ୍ୟ ପ୍ରତିଷ୍ଠାନ ଯାଞ୍ଚ କରିଥିବା ବେଳେ ମିଆଦ ପୁରୁଣା ଦୁଗ୍ଧଜାତ ଦ୍ରବ୍ୟ, ଅସ୍ୱାସ୍ଥ୍ୟକର ରୋଷେଇ ଘର, ଖାଦ୍ୟ ସଂରକ୍ଷଣରେ ଅବହେଳା ଏବଂ ନିଷିଦ୍ଧ ଖାଦ୍ୟ ରଙ୍ଗ ବ୍ୟବହାର ଭଳି ଅଭିଯୋଗ ମିଳିଛି। ନିୟମ ଉଲ୍ଲଂଘନକାରୀ ଖାଦ୍ୟ ବ୍ୟବସାୟୀଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି।
ଅଗଷ୍ଟ ୨୦ରେ ହୋଇଥିବା ଏହି ଯାଞ୍ଚରେ ବେଙ୍ଗାଲୁରୁ, ମହୀଶୂର, ହାଭେରୀ, ଉଡୁପି, ହୁବ୍ବାଲୀ ଓ ମାଙ୍ଗାଲୁରୁ ସମେତ ବିଭିନ୍ନ ଷ୍ଟେସନର ହୋଟେଲ, ରେଳ ପ୍ୟାଣ୍ଟ୍ରି ଓ ଖାଦ୍ୟ ଦୋକାନ ଯାଞ୍ଚ କରାଯାଇଥିଲା। ହାଭେରୀ ଜିଲ୍ଲାର ଏକ ଷ୍ଟେସନରୁ ମିଆଦ ପୁରୁଣା ନନ୍ଦିନୀ ଦହି ଓ ଡୋଡ୍ଲା ଷ୍ଟାଣ୍ଡାର୍ଡାଇଜ୍ଡ ମିଲ୍କ ପ୍ୟାକେଟ୍ ଜବତ ହୋଇଥିଲା। କେଆର୍ ପୁରମ୍ ରେଳ ଷ୍ଟେସନର ଏକ ହୋଟେଲରେ ଅସ୍ୱାସ୍ଥ୍ୟକର ପରିବେଶ ଦେଖିବାକୁ ମିଳିଥିବା ବେଳେ ମହୀଶୂର ଷ୍ଟେସନରେ ପ୍ଲାଷ୍ଟିକ୍ ସାମଗ୍ରୀ ବ୍ୟବହାର କରି ଇଡ୍ଲି ପ୍ରସ୍ତୁତ କରାଯାଉଥିବା ଜଣାପଡ଼ିଥିଲା। ଏହାସହ ରୋଷେଇ ଘରୁ ମିଆଦ ପୁରୁଣା ଖାଦ୍ୟ ଏବଂ କିଛି ସ୍ଥାନରେ ପିଆଜ ଓ ଅନ୍ୟ ପନିପରିବାରେ ଫଙ୍ଗସ୍ ଦେଖାଯାଇଥିଲା।
ଯାଞ୍ଚ ସମୟରେ ଜଲେବିରେ ଅନୁମୋଦିତ ନଥିବା ହଳଦିଆ ରଙ୍ଗ ଏବଂ ଖୋଆ ପେଡ଼ାରେ ଗୋଲାପୀ ରଙ୍ଗ ବ୍ୟବହାର ହେଉଥିବା ସନ୍ଦେହ କରାଯାଇଛି। ଏହାଛଡ଼ା ଖାଦ୍ୟ ସଂରକ୍ଷଣ ପାଇଁ ଅନୁପଯୁକ୍ତ ପ୍ଲାଷ୍ଟିକ୍ ବାଲ୍ଟିରେ ଚଟଣି ରଖାଯାଇଥିବା ମଧ୍ୟ ଅଧିକାରୀମାନେ ଦେଖିଥିଲେ। ଅନ୍ୟପକ୍ଷରେ ମାଙ୍ଗାଲୁରୁ-କେରଳ ଏବଂ ହୁବ୍ବାଲୀ-ବେଙ୍ଗାଲୁରୁ ମଧ୍ୟରେ ଚାଲୁଥିବା ବନ୍ଦେ ଭାରତ ଟ୍ରେନ୍ରେ ଖାଦ୍ୟ ବ୍ୟବସ୍ଥା ଓ ପରିବେଶ ସ୍ୱଚ୍ଛ ଥିବା ଅଧିକାରୀମାନେ କହିଛନ୍ତି। ଯାଞ୍ଚରେ ମିଳିଥିବା ଅନିୟମିତତା ସମ୍ପର୍କରେ ରେଳ କର୍ତ୍ତୃପକ୍ଷ ଓ ସମ୍ପୃକ୍ତ ଅଧିକାରୀଙ୍କୁ ଅବଗତ କରାଯିବା ସହ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ ମାମଲା ହେବ ବୋଲି କୁହାଯାଇଛି।

