ମାସକୁ ଦୁଇଥର ବସିବ କ୍ୟାବିନେଟ୍ ବୈଠକ, ନିଷ୍ପତ୍ତିର ଶୀଘ୍ର କାର୍ଯ୍ୟାନ୍ୱୟନ ଉପରେ ସରକାରଙ୍କ ଫୋକସ୍
ଭୁବନେଶ୍ୱର: ରାଜ୍ୟ ପ୍ରଶାସନରେ ନିଷ୍ପତ୍ତି ଗ୍ରହଣ ଓ ତାହାର କାର୍ଯ୍ୟାନ୍ୱୟନକୁ ଅଧିକ ତ୍ୱରାନ୍ୱିତ କରିବାକୁ ସରକାର ନୂଆ ପଦକ୍ଷେପ ନେଇଛନ୍ତି। ଏଣିକି ପ୍ରତିମାସରେ ଦୁଇଥର କ୍ୟାବିନେଟ୍ ବୈଠକ ଆୟୋଜନ କରାଯିବ। କ୍ୟାବିନେଟ୍ରେ ନିଆଯାଉଥିବା ନିଷ୍ପତ୍ତିକୁ ଶୀଘ୍ର ଭାବେ ତଳସ୍ତରରେ କାର୍ଯ୍ୟକାରୀ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।
ଏଥିପାଇଁ ସମସ୍ତ ପ୍ରଶାସନିକ ବିଭାଗକୁ ନିଜ ନିଜ ପ୍ରସ୍ତାବ ଆଗୁଆ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଧାରିତ କ୍ୟାବିନେଟ୍ ବୈଠକର ଯଥେଷ୍ଟ ପୂର୍ବରୁ ସମ୍ପୃକ୍ତ କ୍ୟାବିନେଟ୍ ନୋଟ୍ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଦାଖଲ କରିବାକୁ କୁହାଯାଇଛି। ଅଗଷ୍ଟ ୪ରେ ଖାରବେଳ ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ସଚିବସ୍ତରୀୟ ବୈଠକରେ ଏନେଇ ବିଭାଗଗୁଡ଼ିକୁ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଥିଲା।
କେବଳ କ୍ୟାବିନେଟ୍ରେ ନିଷ୍ପତ୍ତି ନେବା ନୁହେଁ, ଅନୁମୋଦିତ ନିଷ୍ପତ୍ତିଗୁଡ଼ିକର ନିୟମିତ ଅନୁଧ୍ୟାନ କରି ସେଗୁଡ଼ିକୁ ଧାର୍ଯ୍ୟ ସମୟ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ମଧ୍ୟ ବିଭାଗଗୁଡ଼ିକୁ କୁହାଯାଇଛି। ଏହା ଦ୍ୱାରା ପ୍ରଶାସନିକ ପ୍ରସ୍ତାବ ଉପରେ ସମୟୋଚିତ ନିଷ୍ପତ୍ତି ନେବା ସହ ଅନୁମୋଦିତ ଯୋଜନା ଓ ନୀତିର କାର୍ଯ୍ୟାନ୍ୱୟନ ପ୍ରକ୍ରିୟା ମଧ୍ୟ ଅଧିକ ସୁସଂଗଠିତ ହେବ ବୋଲି ଆଶା କରାଯାଉଛି।

