ମହାରାଷ୍ଟ୍ରରେ ଖୋଲା ଖାଇବା ତେଲ ବିକ୍ରି ଉପରେ କଟକଣା, ଉଲ୍ଲଂଘନ କଲେ ୭ ବର୍ଷ ଜେଲ୍ ସହ ୧୦ ଲକ୍ଷ ଜରିମାନା
ମହାରାଷ୍ଟ୍ର: ମହାରାଷ୍ଟ୍ରରେ ଖାଦ୍ୟ ସୁରକ୍ଷା ଓ ଜନସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଖୋଲାରେ ପ୍ୟାକେଟ୍ ବିହୀନ ଖାଇବା ତେଲ ବିକ୍ରି ଉପରେ ରାଜ୍ୟବ୍ୟାପୀ କଟକଣା ଲଗାଯାଇଛି। ତେଲରେ ଅପମିଶ୍ରଣ ରୋକିବା ଏବଂ ଲୋକଙ୍କୁ ନିରାପଦ ଖାଦ୍ୟ ଯୋଗାଇବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ଅନୁମତି ବିନା ତେଲ ବିକ୍ରି, ନିୟମ ଉଲ୍ଲଂଘନ କିମ୍ବା ଅସୁରକ୍ଷିତ ଭାବେ ତେଲ ପ୍ରସ୍ତୁତ ଓ ପ୍ୟାକିଂ କରୁଥିବା ବ୍ୟବସାୟୀଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ।
ବିଶେଷକରି ଲାଇସେନ୍ସ ନଥିବା ବ୍ୟବସାୟ, ଅନୁମତି ବିନା ବିଭିନ୍ନ ପ୍ରକାର ତେଲ ମିଶ୍ରଣ, ବିଶେଷ କରି ସୋରିଷ ତେଲରେ ଅନଧିକୃତ ମିଶ୍ରଣ, ନିମ୍ନମାନର ତେଲ ଏବଂ ଅସୁରକ୍ଷିତ ପ୍ୟାକିଂ ଉପରେ ନଜର ରଖାଯିବ। ନିୟମ ଉଲ୍ଲଂଘନ କରିଲେ ସର୍ବାଧିକ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍ ଓ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ। ଏହାସହ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହୃତ ତେଲକୁ ବାରମ୍ବାର ଗରମ କରି ବ୍ୟବହାର କରିବା ଏବଂ ପୁରୁଣା କଣ୍ଟେନର ପୁନଃବ୍ୟବହାର ନକରିବାକୁ ମଧ୍ୟ ସତର୍କ କରାଯାଇଛି।
ଏହି ନିୟମକୁ ତେଲ ଯୋଗାଣ ଶୃଙ୍ଖଳାର ସମସ୍ତ ସ୍ତରରେ କଡ଼ାକଡ଼ିରେ ଲାଗୁ କରାଯିବ ବୋଲି ମହାରାଷ୍ଟ୍ର ଖାଦ୍ୟ ଓ ଔଷଧ ପ୍ରଶାସନ ପକ୍ଷରୁ କୁହାଯାଇଛି। ଅପମିଶ୍ରଣ ଓ ନିମ୍ନମାନର ତେଲ ବିକ୍ରି ରୋକିବା ପାଇଁ ଯାଞ୍ଚ ଓ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଜୋରଦାର କରାଯିବ। ଏପଟେ ଗ୍ରାହକମାନଙ୍କୁ କେବଳ ସିଲ୍ ହୋଇଥିବା, ଲେବଲ୍ ଲାଗିଥିବା ଏବଂ ଅନୁମୋଦିତ ଉତ୍ସରୁ ମିଳୁଥିବା ଖାଇବା ତେଲ କିଣିବାକୁ ପରାମର୍ଶ ଦିଆଯାଇଛି।

