ଡିଲିମିଟେସନ୍କୁ ନେଇ ତାମିଲନାଡୁ ବିଧାନସଭାରେ ତର୍କ ବିତର୍କ, ବିଜୟଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଲା DMK
ତାମିଲନାଡୁ: ତାମିଲନାଡୁରେ ପ୍ରସ୍ତାବିତ ଡିଲିମିଟେସନ୍କୁ ନେଇ ଶାସକ ଟିଭିକେ ଓ ବିରୋଧୀ DMK ମଧ୍ୟରେ ବିବାଦ ତୀବ୍ର ହୋଇଛି। ଶୁକ୍ରବାର ବିଧାନସଭାରେ ବିରୋଧୀ ଦଳ ନେତା ଉଦୟନିଧି ଷ୍ଟାଲିନ୍ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ଉପରେ ପ୍ରଶ୍ନ ଉଠାଇଥିଲେ। ଉଦୟନିଧିଙ୍କ ଅଭିଯୋଗ ଥିଲା ଯେ, ବିଧାନସଭାରେ ଲୋକସଭା ଆସନ ସଂଖ୍ୟା ୫୪୩ରେ ସ୍ଥିର ରଖିବା ପାଇଁ ରାଜ୍ୟ ପକ୍ଷରୁ ପ୍ରସ୍ତାବ ପାରିତ ହୋଇଥିଲେ ମଧ୍ୟ ଦକ୍ଷିଣାଞ୍ଚଳ ପରିଷଦ ବୈଠକରେ ବିଜୟ ତାଙ୍କ ଭାଷଣରେ ‘ଫ୍ରିଜ୍’ ଶବ୍ଦ ବ୍ୟବହାର କରିନଥିଲେ। ଏହାଦ୍ୱାରା ଡିଲିମିଟେସନ୍ ଉପରେ ରାଜ୍ୟର ଆଭିମୁଖ୍ୟ କିଛିଟା ନରମ ହୋଇଛି ବୋଲି DMK ଦାବି କରିଛି।
ଅନ୍ୟପକ୍ଷରେ ଟିଭିକେ ସରକାରର ମନ୍ତ୍ରୀ ଆଦଭ ଅର୍ଜୁନ ଏହି ଅଭିଯୋଗକୁ ଖଣ୍ଡନ କରି ଡିଲିମିଟେସନ୍ ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ହୋଇନଥିବା କହିଛନ୍ତି। ତାମିଲନାଡୁର ସଂସଦୀୟ ପ୍ରତିନିଧିତ୍ୱ ବର୍ତ୍ତମାନର ୭.୧୮ ପ୍ରତିଶତ ହାରରୁ କମିବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି। ଡିଲିମିଟେସନ୍ ନାମରେ ରାଜ୍ୟର ହିତକୁ କୌଣସି ପ୍ରକାରେ କ୍ଷତି ପହଞ୍ଚିବାକୁ ଦିଆଯିବ ନାହିଁ ବୋଲି ମଧ୍ୟ ସେ ଦୋହରାଇଛନ୍ତି। ଏହି ପ୍ରସଙ୍ଗରେ AIADMK ମୁଖ୍ୟ ଇଡାପ୍ପାଡି ପାଲାନିସ୍ୱାମୀ ମଧ୍ୟ ତାମିଲନାଡୁର ୭.୧୮ ପ୍ରତିଶତ ସଂସଦୀୟ ଅଂଶ ବଜାୟ ରଖିବାକୁ ଦାବି କରିଛନ୍ତି। ତେବେ BJP ବିଧାୟକ ଭୋଲା ରାଜନ ଡିଲିମିଟେସନ୍ ତାମିଲନାଡୁ ପାଇଁ ଲାଭଦାୟକ ହେବ ଏବଂ ରାଜ୍ୟର ଆସନ ଅଂଶ ବଢ଼ିପାରେ ବୋଲି ମତ ଦେଇଛନ୍ତି।
ଏହି ବିବାଦର ପୃଷ୍ଠଭୂମିରେ ଗୁରୁବାର ଦକ୍ଷିଣାଞ୍ଚଳ ପରିଷଦର ୩୧ତମ ବୈଠକରେ ମୁଖ୍ୟମନ୍ତ୍ରୀ ବିଜୟ ଡିଲିମିଟେସନ୍କୁ ନେଇ କେନ୍ଦ୍ର ସରକାରଙ୍କଠାରୁ ସ୍ପଷ୍ଟ ଆଶ୍ୱାସନ ଦାବି କରିଥିଲେ। ଜନସଂଖ୍ୟା ଆଧାରିତ ନିର୍ବାଚନମଣ୍ଡଳୀ ପୁନର୍ଗଠନ ଯୋଗୁଁ ଦକ୍ଷିଣ ରାଜ୍ୟଗୁଡ଼ିକର ସଂସଦୀୟ ପ୍ରତିନିଧିତ୍ୱ କମିବା ନେଇ ଆଶଙ୍କା ରହିଥିବା ସେ କହିଥିଲେ। ଜନସଂଖ୍ୟା ନିୟନ୍ତ୍ରଣରେ ସଫଳ ହୋଇଥିବା ରାଜ୍ୟଗୁଡ଼ିକୁ ଏଥିପାଇଁ ଦଣ୍ଡିତ କରାଯିବା ଉଚିତ୍ ନୁହେଁ ବୋଲି ବିଜୟ ମତ ରଖିଥିଲେ। ତେଣୁ ଡିଲିମିଟେସନ୍ ପରେ କୌଣସି ରାଜ୍ୟର ସଂସଦୀୟ ପ୍ରତିନିଧିତ୍ୱ ହାର ହ୍ରାସ ନହେବା ନେଇ ଆଇନଗତ ଆଶ୍ୱାସନ ଦେବାକୁ ସେ କେନ୍ଦ୍ରକୁ ଅନୁରୋଧ କରିଥିଲେ।

