ମୋଟିଭେସନାଲ ସ୍ପିକର ସାଜି ଯୁବତୀଙ୍କୁ ଠକେଇ, ଅଶ୍ଳୀଳ ଫଟୋ ପଠାଇବାକୁ ପ୍ରବର୍ତ୍ତାଇଥିବା ଅଭିଯୋଗରେ ଯୁବକ ଗିରଫ
ମହାରାଷ୍ଟ୍ର: ମହାରାଷ୍ଟ୍ରର ପୁଣେରେ ମୋଟିଭେସନାଲ ସ୍ପିକର ଓ ଇନ୍ଫ୍ଲୁଏନ୍ସର ସାଜି ଜଣେ ଯୁବତୀଙ୍କୁ ଠକି ନଗ୍ନ ଫଟୋ ପଠାଇବାକୁ ବାଧ୍ୟ କରିଥିବା ଅଭିଯୋଗରେ ୨୩ ବର୍ଷୀୟ ଯୁବକ ଦିବ୍ୟ ଜିତେନ୍ଦ୍ର ପରମାରଙ୍କୁ ପୁଲିସ ଗିରଫ କରିଛି। ପୁଲିସ ସୂଚନା ଅନୁସାରେ, ଅଭିଯୁକ୍ତ ଜଣକ ସୋସିଆଲ ମିଡିଆରେ ନିଜକୁ ଜଣେ ପ୍ରେରଣାଦାୟକ ବକ୍ତା ଓ ଆଧ୍ୟାତ୍ମିକ ଗୁରୁ ଭାବେ ପରିଚୟ ଦେଇଥିଲେ। ଏହି ଘଟଣାରେ ୨୨ ବର୍ଷୀୟ ଜଣେ ଯୁବତୀ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା।
ଅଭିଯୋଗ ଅନୁସାରେ, ପରମାର ସୋସିଆଲ ମିଡିଆ ମାଧ୍ୟମରେ ଯୁବତୀଙ୍କ ସହ ଯୋଗାଯୋଗ କରିଥିଲେ। ନିଜକୁ ମୋଟିଭେସନାଲ ସ୍ପିକର ଓ ଇନ୍ଫ୍ଲୁଏନ୍ସର ଭାବେ ଦର୍ଶାଇବା ସହ ଧୀରେ ଧୀରେ ତାଙ୍କ ବିଶ୍ୱାସ ଜିତିଥିଲେ। ପରେ ଆଧ୍ୟାତ୍ମିକ ଗୁରୁ ଭାବେ ଅଭିନୟ କରି ଯୁବତୀଙ୍କୁ ପ୍ରଭାବିତ କରିଥିବା ପୁଲିସ କହିଛି। ଏହି ବିଶ୍ୱାସର ସୁଯୋଗ ନେଇ ସେ ଯୁବତୀଙ୍କୁ ବ୍ୟକ୍ତିଗତ ଫଟୋ ପଠାଇବାକୁ ପ୍ରବର୍ତ୍ତାଇଥିବା ଅଭିଯୋଗ ହୋଇଛି।
ଘଟଣାର ତଦନ୍ତ ବେଳେ ପୁଲିସ ଅଭିଯୁକ୍ତଙ୍କଠାରୁ ଏକ ଲାପଟପ୍ ଓ ମୋବାଇଲ୍ ଫୋନ୍ ଜବତ କରିଛି। ସୋସିଆଲ ମିଡିଆରେ ନକଲି ପରିଚୟ ସୃଷ୍ଟି କରି ଯୁବତୀଙ୍କୁ କିପରି ଫସାଯାଇଥିଲା, ତାହାର ତଦନ୍ତ ଜାରି ରହିଛି। ଅଭିଯୋଗ ଆଧାରରେ ପୁଲିସ ଘଟଣାର ସମସ୍ତ ଦିଗ ଯାଞ୍ଚ କରୁଥିବା ବେଳେ ଜବତ ଇଲେକ୍ଟ୍ରୋନିକ୍ ଉପକରଣଗୁଡ଼ିକୁ ମଧ୍ୟ ଯାଞ୍ଚ କରାଯାଉଛି।

