Maharashtra School Row: ସରକାରୀ ସ୍କୁଲରେ ପ୍ରବେଶ ଅଭିଯୋଗରେ Abhijeet Dipkeଙ୍କ ବିରୋଧରେ FIR, ଲାଗିଲା ୪ଟି ଧାରା
ମହାରାଷ୍ଟ୍ରର ଲାତୁର ଜିଲ୍ଲାରେ ଅନୁମତି ନନେଇ ସରକାରୀ ସ୍କୁଲରେ ପ୍ରବେଶ କରିବା ଅଭିଯୋଗରେ କକ୍ରୋଚ୍ ଜନତା ପାର୍ଟି (CJP)ର ଆବାହକ ଅଭିଜିତ ଦୀପକେଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଆଉସା ଥାନାରେ ଦୀପକେଙ୍କ ସହ ପାର୍ଟି କର୍ମୀ ଅଜିଙ୍କ୍ୟ ଶିନ୍ଦେ ଏବଂ ଅନ୍ୟ କିଛି CJP କର୍ମୀଙ୍କ ବିରୋଧରେ ଏଫ୍ଆଇଆର୍ ହୋଇଛି। ଆଉସା ନିକଟ ଜାୱାଲିର ଜିଲ୍ଲା ପରିଷଦ ଉର୍ଦ୍ଦୁ ସ୍କୁଲରେ ଶିକ୍ଷକଙ୍କ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି, ଧମକ ଦେବା ଏବଂ ବିନା ଅନୁମତିରେ ସ୍କୁଲ ପରିସରରେ ପ୍ରବେଶ କରିବା ଭଳି ଅଭିଯୋଗ ତାଙ୍କ ବିରୋଧରେ ରହିଛି। ୫୩ ବର୍ଷୀୟା ଶିକ୍ଷୟିତ୍ରୀ ସୟଦ ଶମଶଦବାନୋ ଖୈରାତାଲିଙ୍କ ଅଭିଯୋଗ ଆଧାରରେ ପୁଲିସ ଏହି ମାମଲା ରୁଜୁ କରିଛି।
ଏଫ୍ଆଇଆର୍ ଅନୁସାରେ, ଅଭିଜିତ ଦୀପକେ ଓ ତାଙ୍କ ସହଯୋଗୀମାନେ କୌଣସି ଅନୁମତି ନନେଇ ସ୍କୁଲରେ ପ୍ରବେଶ କରି ଛାତ୍ରଛାତ୍ରୀଙ୍କ ସହ ବସିଥିଲେ ଏବଂ ସ୍କୁଲର ସ୍ଥିତି ସମ୍ପର୍କରେ ପ୍ରଶ୍ନ କରିଥିଲେ। ଏହା ଦ୍ୱାରା ଶିକ୍ଷାଦାନ ଓ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ଦୀପକେ ସ୍କୁଲ ପରିଦର୍ଶନ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନାର ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ମଧ୍ୟ ଅଭିଯୋଗରେ ଦର୍ଶାଯାଇଛି। ଏହାସହ ସ୍କୁଲର ଛବି ଖରାପ କରିବା ଉଦ୍ଦେଶ୍ୟରେ ଅନ୍ୟ ଏକ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଆଣି ଏଠାରେ ବସାଯାଇଥିବା ଦୀପକେ ଅଭିଯୋଗ କରିଥିଲେ। ଶିକ୍ଷକମାନଙ୍କୁ ନିଲମ୍ବିତ କରାଇଦେବାର ଧମକ ଦେଇଥିବା ମଧ୍ୟ ଏଫ୍ଆଇଆର୍ରେ ଉଲ୍ଲେଖ ରହିଛି। ଏହି ମାମଲାରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୩୨, ୩୨୯(୩), ୩୫୧(୨) ଏବଂ ୩୫୬(୨) ଅଧୀନରେ ମାମଲା ରୁଜୁ ହୋଇଛି। ଏଥିରେ ସରକାରୀ କର୍ମଚାରୀଙ୍କ କାର୍ଯ୍ୟରେ ବାଧା ଦେବା, ଅନଧିକୃତ ପ୍ରବେଶ, ଅପରାଧିକ ଧମକ ଓ ଅପରାଧିକ ମାନହାନି ଭଳି ଅଭିଯୋଗ ସାମିଲ ରହିଛି।
ଅଭିଜିତ ଦୀପକେଙ୍କ CJP ପକ୍ଷରୁ ଅଗଷ୍ଟ ୧୫ରୁ ‘School Thik Karo’ ଅଭିଯାନ ଆରମ୍ଭ କରାଯାଇଛି। ଦେଶର ସରକାରୀ ସ୍କୁଲଗୁଡ଼ିକର ଶିକ୍ଷା ବ୍ୟବସ୍ଥା ଓ ମୌଳିକ ସୁବିଧାରେ ସୁଧାର ଆଣିବା ଏହି ଅଭିଯାନର ଉଦ୍ଦେଶ୍ୟ ବୋଲି CJP ପକ୍ଷରୁ କୁହାଯାଇଛି। ଦୀପକେଙ୍କ ନିଜ ଗାଁ ହିଙ୍ଗୋଲିରୁ ଏହି ଅଭିଯାନ ଆରମ୍ଭ ହୋଇଥିବାବେଳେ ଏହାପରେ CJP କର୍ମୀମାନେ ବିଭିନ୍ନ ରାଜ୍ୟର ଅନେକ ସରକାରୀ ସ୍କୁଲ ପରିଦର୍ଶନ କରିଛନ୍ତି। କିଛି ସ୍ଥାନରେ ଏହାକୁ ବିରୋଧ ମଧ୍ୟ କରାଯାଇଛି। ଶୁକ୍ରବାର ରାଜସ୍ଥାନର ଜୟପୁର ଜିଲ୍ଲାର ରାମପୁରା କନୱାରପୁରାର ଏକ ସରକାରୀ ସ୍କୁଲ ପରିଦର୍ଶନ ସମୟରେ CJP ଟିମ୍ ଉପରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଆକ୍ରମଣ ହୋଇଥିବା ଦଳ ପକ୍ଷରୁ ଅଭିଯୋଗ କରାଯାଇଥିଲା। ଏବେ ମହାରାଷ୍ଟ୍ରର ଏହି ମାମଲା ପରେ ‘School Thik Karo’ ଅଭିଯାନକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି।

