Modi Cabinet Reshuffle: ଖୁବଶୀଘ୍ର ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ, ୨୦ରୁ ଅଧିକ ମନ୍ତ୍ରୀ ହୋଇପାରନ୍ତି Out!
ନୂଆଦିଲ୍ଲୀରେ ମୋଦୀ ସରକାରର ମନ୍ତ୍ରିମଣ୍ଡଳରେ ବଡ଼ ଅଦଳବଦଳକୁ ନେଇ ଚର୍ଚ୍ଚା ଜୋର ଧରିଛି। ସୂତ୍ର ଅନୁସାରେ, ଖୁବଶୀଘ୍ର କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଦଳବଦଳ ହୋଇପାରେ। ପ୍ରଶାସନିକ ପ୍ରାଥମିକତାକୁ ନୂଆ ଦିଗ ଦେବା ଏବଂ ଆଗାମୀ ରାଜନୈତିକ ଚ୍ୟାଲେଞ୍ଜ ପୂର୍ବରୁ ସରକାରକୁ ଆହୁରି ସକ୍ରିୟ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇପାରେ। ଏହି ଅଦଳବଦଳରେ ୨୦ରୁ ଅଧିକ ମନ୍ତ୍ରୀଙ୍କ ବିଭାଗ ପରିବର୍ତ୍ତନ, ପଦୋନ୍ନତି କିମ୍ବା ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିବାର ସମ୍ଭାବନା ଥିବା ଚର୍ଚ୍ଚା ହେଉଛି।
କ୍ୟାବିନେଟ୍ ପାହ୍ୟାର କିଛି ମନ୍ତ୍ରୀଙ୍କ ବିଭାଗରେ ସୀମିତ ପରିବର୍ତ୍ତନ ହୋଇପାରେ। ତେବେ ସବୁଠାରୁ ବଡ଼ ଅଦଳବଦଳ ରାଷ୍ଟ୍ରମନ୍ତ୍ରୀ ପାହ୍ୟାରେ ହେବାର ସମ୍ଭାବନା ରହିଛି। ଅନେକ ରାଷ୍ଟ୍ରମନ୍ତ୍ରୀଙ୍କୁ ଦାୟିତ୍ୱରୁ ହଟାଯାଇପାରେ କିମ୍ବା ଅନ୍ୟ ବିଭାଗକୁ ପଠାଯାଇପାରେ ବୋଲି ସୂତ୍ରରୁ ଜଣାପଡ଼ିଛି। ଅଞ୍ଚଳଭିତ୍ତିକ ପ୍ରତିନିଧିତ୍ୱରେ ସନ୍ତୁଳନ ରକ୍ଷା, ମେଣ୍ଟ ଦଳଗୁଡ଼ିକର ରାଜନୈତିକ ସମୀକରଣକୁ ସ୍ଥାନ ଦେବା ଏବଂ ମନ୍ତ୍ରୀମାନଙ୍କ କାର୍ଯ୍ୟଦକ୍ଷତା ଆଧାରରେ ଦାୟିତ୍ୱ ନିର୍ଦ୍ଧାରଣ ଏହି ପରିବର୍ତ୍ତନର ମୁଖ୍ୟ କାରଣ ହୋଇପାରେ।
ଗତ କିଛି ମାସ ଧରି କେନ୍ଦ୍ରୀୟ ନେତୃତ୍ୱ ପକ୍ଷରୁ ମନ୍ତ୍ରୀମାନଙ୍କ କାର୍ଯ୍ୟଦକ୍ଷତାର ଆଭ୍ୟନ୍ତରୀଣ ସମୀକ୍ଷା କରାଯାଇଥିବା କୁହାଯାଉଛି। ଏହି Performance Auditକୁ ଆଧାର କରି ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ ନେଇ ବିଚାର ଚାଲିଥିବା ସୂଚନା ମିଳିଛି। ତେବେ କେଉଁ ମନ୍ତ୍ରୀଙ୍କୁ ହଟାଯିବ, କାହାର ବିଭାଗ ବଦଳିବ କିମ୍ବା କାହାକୁ ନୂଆ ଦାୟିତ୍ୱ ମିଳିବ, ସେନେଇ ଏପର୍ଯ୍ୟନ୍ତ ସରକାରୀ ଭାବେ କୌଣସି ତାଲିକା ପ୍ରକାଶ ପାଇନାହିଁ। ତେଣୁ ମନ୍ତ୍ରିମଣ୍ଡଳ ଅଦଳବଦଳ ସମ୍ପର୍କିତ ଚର୍ଚ୍ଚାକୁ ବର୍ତ୍ତମାନ ସୂତ୍ରଭିତ୍ତିକ ସୂଚନା ଭାବେ ଦେଖାଯାଉଛି।

